ଭୁବନେଶ୍ବର: ଗଂଜାମ ଜିଲ୍ଲା ଗୋପାଳପୁରରେ ଗତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ନିନ୍ଦା କରିଛନ୍ତି। ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୁଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ବାହାରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ ଅଧ୍ୟୟନ କରୁଥିବା ବେଳେ ରବିବାର ଅପରାହ୍ଣରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ଯାଇଥିଲେ। ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିଲେ। ସଂଧ୍ୟା ପ୍ରାୟ ୮ଟା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ନିଛାଟିଆ ସ୍ଥାନରେ ଉଭୟ ବସିଥିବା ଦେଖି ଅସଦାଚରଣ କରିଥିଲେ। ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରିବା ସହ ଯୁବତୀଙ୍କୁ ଉଠାଇ ନେଇ ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ମାତ୍ରକେ ପୁଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ନେଇ ଖୋଜାଖୋଜି ଆରମ୍ଭ କରିଥିଲା।
ଏହି ଖବର ପଢ଼ନ୍ତୁ: ‘ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ’
ଏହି ସମୟରେ ଡୁରା ଓଭରବ୍ରିଜ୍ ନିକଟରେ ୪ ଜଣ ଥିବା ବେଳେ ପୁଲିସ ଗାଡ଼ି ଦେଖି ଦୁଇ ଜଣ ଯୁବକ ଦୌଡ଼ି ଚମ୍ପଟ ମାରିଥିଲେ। ଅନ୍ୟ ୨ ଜଣଙ୍କୁ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଜଣକ ଚିହ୍ନଟ କରିଥିଲେ। ୨ଜଣକୁ ପୁଲିସ କାବୁ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଅନ୍ୟ ୮ ଜଣ ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି।
Crime | ganjam | CM Mohan Charan Majhi