କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍‌ରେ ଭାରତର  ତରଫରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କୁ ଭାରତୀୟ ଦଳରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ରୋହିତଙ୍କ ଚୟନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ରୋହିତଙ୍କ ପାଇଁ ଏହା କେବଳ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଆମ ବିଶ୍ୱବିଦ୍ୟାଳୟପାଇଁ ସମ୍ମାନ ଆଣିବାର ଏକ ସୁଯୋଗ। ଆମେ ନିଶ୍ଚିତ ଯେ ସେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଓ ଦେଶକୁ ପାଇଁ ଗୌରବ ଆଣିବେ।

-ପ୍ରଫେସର ଚକ୍ରଧର ତ୍ରିପାଠୀ, କୁଳପତି, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ ଜିଲ୍ଲାର ବାସିନ୍ଦା ରୋହିତ ପାତ୍ର ବର୍ତ୍ତମାନ କୋରାପୁଟ ମ୍ୟୁନିସିପାଲିଟି ଜିମ୍‌ରେ ପାୱାରଲିଫ୍ଟିଂ ଅଭ୍ୟାସ କରୁଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ସେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି କ୍ରୀଡ଼ାରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି। ଆଗାମୀ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପରେ ସେ ସବ୍ ଜୁନିୟର, ୧୨୦+ କେଜି ବର୍ଗରେ ଭାଗ ନେବେ।

ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ରାଜ୍ୟଗୋଷ୍ଠୀ   ଏକ୍ୟୁପଡ ଓ କ୍ଲାସିକ୍ ସବ୍ ଜୁନିୟର, ଜୁନିୟର ପାୱାରଲିଫ୍ଟିଂ ଏବଂ ସୁସଜ୍ଜିତ ଓ କ୍ଲାସିକ୍ ସବ୍-ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର୍ସ ବେଞ୍ଚ ପ୍ରେସ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। କୋରାପୁଟ ଜିଲ୍ଲାର ଦୁଇ ବାସିନ୍ଦା ବୈବ କୁମାର ତାଣ୍ଡି (ମାଷ୍ଟର୍ସ ବେଞ୍ଚ ପ୍ରେସ୍ ଚାମ୍ପିଅନସିପ୍, ମାଷ୍ଟର ୩, ୭୪ କେଜି ବର୍ଗ) ଏବଂ ରୋହିତ ପାତ୍ର (ସବ୍ ଜୁନିୟର, ୧୨୦+ କେଜି ବର୍ଗ) ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ୍ ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। 

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିବାରଙ୍କ ସମେତ କୋରାପୁଟ ତଥା ସମଗ୍ର ଓଡ଼ିଶାବାସୀ ଗର୍ବିତ ହେବା ସହ ରୋହିତ ଓ ବୈବ କୁମାରଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବୋଲି ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି । ରୋହିତ ହେଉଛନ୍ତି ଶ୍ରୀ ନିରୋଦା ନନ୍ଦ ପାତ୍ର ଓ ଶ୍ରୀମତୀ ରମାଦେବୀ ପାତ୍ରଙ୍କ ସୁପୁତ୍ର ।