ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ କାୟା ବିସ୍ତାର କରିବାକୁ ଲାଗିଛି। ମ୍ୟାଲେରିଆ ପାଇଁ ଲୋକେ ଭୟ କରୁଛନ୍ତି। ଗତ ଏକ ସପ୍ତାହ ହେଲା ବର୍ଷା ଲାଗିରହିଥିବା ବେଳେ ଦୁର୍ଗମ ଅଂଚଳର ସ୍ଥିତି ଖରାପରୁ ଅତି ଖରାପ ହେଲାଣି। ବିଶେଷ କରି ବଣ୍ଡାଘାଟି ଏବଂ ସ୍ୱାଭିମାନ ଅଂଚଳରେ ଜ୍ୱର ବ୍ୟାପିବାରେ ଲାଗିଲାଣି। ସେବାଶ୍ରମଗୁଡିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଜ୍ବରରେ ପଡିଥିବା ଖବର ମିଳୁଛି।

Advertisment

ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ସେବାଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ରୋହିତ ମାଡକାମୀ(୧୨)କୁ ଗତକାଲି ଜ୍ୱର ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ରୋହିତକୁ ମାଟାପାକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ମ୍ୟାଲେରିଆ ହୋଇଥିବା ଜଣାପଡିଥିଲା। ଆଜି ସକାଳେ ସେ ଗୁରୁତର ହେବା ଯୋଗୁଁ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା। ତେବେ ଆଜି ଚିକିତ୍ସିତ ଅବସ୍ଥାରେ ରୋହିତର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏନେଇ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଛାତ୍ରଙ୍କୁ ଜ୍ୱର ହୋଇଥିବା କହିଥିଲେ। ଆଜି ସକାଳୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜ୍ୱର ମୁଣ୍ଡକୁ ଚଢିଯାଇଥିବା ଜଣାପଡିଛି, ଯଦ୍ୱାରା ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡିଡବ୍ଲୁଓ ଶ୍ରୀନିବାସ ଆଚାରୀ ମଧ୍ୟ ମୃତ୍ୟୁ ନେଇ ସ୍ୱୀକାର କରିଥିଲେ।

 

ସେହିପରି ସ୍ୱାଭିମାନ ଅଂଚଳରେ ମଧ୍ୟ ଜଣେ ମ୍ୟାଲେରିଆ ଜ୍ବରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ କହୁଛି ମ୍ୟାଲେରିଆ ନିୟନ୍ତ୍ରଣରେ ରହିଛି। ସବୁ ଅଂଚଳର ସ୍ୱାସ୍ଥ୍ୟ ଅଧିକାରୀ ସମେତ ସମସ୍ତ କର୍ମଚାରୀଙ୍କୁ ଅବଗତ କରାଯାଇଛି। ମ୍ୟାଲେରିଆରେ ମୃତ୍ୟୁ ନେଇ କୌଣସି ଖବର ନଥିବା ବିଭାଗ କହୁଛି। ତେବେ ସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ତଦନ୍ତ ପରେ ହିଁ କିପରି ମୃତ୍ୟୁ ହୋଇଛି କୁହାଯାଇପାରିବ।

Malaria | mosquito