ଝରିଗାଁ: ପାଠପଢ଼ାରେ ଆଗ୍ରହ ରଖିଥିଲେ। କିନ୍ତୁ ପର୍ଯ୍ୟାୟ କ୍ରମେ ଦୁଇଟି ଆଖି ହରାଇବା ପରେ ପାଠ ପଢ଼ାରୁ ବଞ୍ଚିତ ହୋଇ ଘରେ ଏକାକୀ ରହୁଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟଣା ଝରିଗାଁ ବ୍ଲକ କରଲାପଡ଼ା ଗ୍ରାମର ଜଣେ ଛାତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କରଲାପଡ଼ା ଗ୍ରାମର ପ୍ରସନ୍ନ ଗୌଡ଼ଙ୍କ ସାନ ଝିଅ ସୁଭଦ୍ରା ଗୌଡ଼ ଜନ୍ମରୁ ଠିକ ଥିଲେ। ବୟସ ଅନୁଯାୟୀ ନିଜ ଗ୍ରାମର କରଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲେ। ତୃତୀୟ ଶ୍ରେଣୀ ପାଠ ପଢିବା ସମୟରେ ହଠାତ ଭୀଷଣ ଜ୍ଵର ହୋଇଥିଲା।
ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଜ୍ଵର କମିବା ସହ ସ୍ୱାସ୍ଥ୍ୟ ଠିକ ହୋଇଥିଲା। କିନ୍ତୁ ଡାହାଣ ଆଖିରୁ ପାଣି ବାହାରିବା ସହ ସଠିକ ଦେଖା ଗଲାନାହିଁ। ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ସୁଭଦ୍ରାଙ୍କୁ ଆଖିର ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଭର୍ତ୍ତି କରିଥିଲେ। ଦୁଇ ମାସ ମଧ୍ୟରେ ଦୁଇ ଥର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଚିକିତ୍ସା କରି ଆସିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକ କହିଥିଲେ।
ଚିକିତ୍ସା ପରେ ଡାହାଣ ଆଖିରୁ ପାଣି ବାହାରିବା ସହ ଧୀରେଧୀରେ ନଷ୍ଟ ହୋଇ ଯାଇଥିବା ପରିବାର ଲୋକ କହିଥିଲେ। ଡାହାଣ ଆଖି ନଷ୍ଟ ହେବା ପରେ ମଧ୍ୟ ସୁଭଦ୍ରା ପାଠ ପଢା ପ୍ରତି ଆଗ୍ରହ ଥିବା ଯୋଗୁଁ କରଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶେଣୀ ପାଠ ଶେଷ କରିବା ପରେ ଚନ୍ଦାହାଣ୍ଡି ବ୍ଲକ ହଳଦୀ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡ଼ିଥିଲେ। ପରେ ଚନ୍ଦାହାଣ୍ଡି ବ୍ଲକସ୍ଥିତ ଯାଦବ ମାଝୀ ବାଳିକା ବିଦ୍ୟାଳୟରେ ୨୦୨୩ ମସିହାରେ ଦଶମ ଶ୍ରେଣୀ ପାଠ ପଢୁ ଥିଲେ।
ଗ୍ରୀଷ୍ମକାଳୀନ ଛୁଟି ହେବା ଯୋଗୁଁ ନିଜ ଘରକୁ ଆସିଥିଲେ। ସେହି ସମୟରେ ପୁଣିଥରେ ସୁଭଦ୍ରାଙ୍କୁ ଭୀଷଣ ଜ୍ଵର ହୋଇଥିଲା।ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ। କିଛି ଦିନ ପରେ ଜ୍ଵର ଠିକ ହୋଇ ଯାଇଥିଲା। କିନ୍ତୁ ବାମ ଆଖି ଦେଖିବାରେ ସମସ୍ୟା ଦେଖା ଦେଇଥିଲା। ପରିବାର ଲୋକ ତୁରନ୍ତ ଧାର ଉଧାର କରି ଶୁଭଦ୍ରାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ଆଠ ଦିନ ଚିକିତ୍ସା କରିବା ପରେ ଚିକିତ୍ସା କରୁଥିବା ଡାକ୍ତର ସମ୍ବଲପୁର ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ।
ପରିବାର ଲୋକ ପୁଣି ଥରେ ସୁଭଦ୍ରାଙ୍କୁ ସମ୍ବଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ସାତ ଦିନ ରହି ଚିକିତ୍ସା କରିବା ପରେ ଭୁବନେଶ୍ୱର ନେବା ପାଇଁ ପରାମର୍ଶ କରିଥିଲେ। ପରିବାର ଲୋକ ଘରକୁ ଫେରି ଆସି ଅର୍ଥ ଯୋଗାଡ଼ କରି ୧୫ ଦିନ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ଦୁଇ ମାସ ରହିବା ମଧ୍ୟରେ ସୁଭଦ୍ରାଙ୍କ ବାମ ଆଖିର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହେବା ପରେ ପରିବାର ଲୋକ ଖୁସି ହୋଇ ଘରକୁ ଫେରିଥିଲେ।
ସୁଭଦ୍ରା ମଧ୍ୟ ପାଠ ପଢି ହେବ ବୋଲି ଆଶା ବାନ୍ଧିଥିଲା। ଘରେ ପହଁଞ୍ଚିବାର ପ୍ରାୟ ଆଠ ଦିନ ପରେ ଅସ୍ତ୍ରୋପଚାର ହୋଇ ଥିବା ବାମ ଆଖିରୁ ଚାରିଦିନ ଧରି ପାଣି ବହିବା ପରେ ଆଉ ଦେଖାଗଲା ନାହିଁ। ବର୍ତ୍ତମାନ ସୁଭଦ୍ରାଙ୍କ ଦୁଇଟି ଆଖି ନଷ୍ଟ ହୋଇଯାଇଥିବା ବେଳେ ପାଠ ପଢା ଅଧାରେ ବନ୍ଦ ହୋଇଯାଇଛି। ଗୋଟିଏ ପଟେ ଝିଅ ଏଭଳି ଅବସ୍ଥାରେ ଘରେ ପଡି ରହିଥିବା ବେଳେ ସ୍ତ୍ରୀ ସିନ୍ଦୁକା ଚଳିତ ବର୍ଷ ମାର୍ଚ୍ଚ ମାସରେ ଜ୍ଵରରେ ଦେହାନ୍ତ ହୋଇ ଯିବା ଯୋଗୁଁ ପ୍ରସନ୍ନ ଚିନ୍ତାରେ ପଡିଛନ୍ତି। ପ୍ରଶାସନ ତରଫରୁ ସୁଭଦ୍ରାଙ୍କୁ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରି ଗୃହ ବ୍ୟବସ୍ଥା କରାଇ ଦେବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।
Nabarangpur