ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ସରକାର ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀମାନେ କେମିତି ସଠିକ ଭାବେ ବିଦ୍ୟାଳୟରେ ପାଠ ପଢିପାରିବେ ସେ ନେଇ ଯୋଜନା ପରେ ଯୋଜନା କରୁଛନ୍ତି। ଶିକ୍ଷା ଭିତ୍ତିଭୂମିର ଅଭାବ ଯୋଗୁଁ ଦୁର୍ଗମ ଅଂଚଳରେ ବିପର୍ଯ୍ୟସ୍ତ ହୋଇପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି।ଏଭଳି ସ୍ଥିତିରେ ଚାଲିଛି ବିଦ୍ୟାଳୟରେ ଶିକ୍ଷାଦାନ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସରୁଆଳୀ ପଂଚାୟତର ପାଉଡ଼ିଭୂୟାଁ ଅଧ୍ୟୁଷିତ ଅଂଚଳର ଖୁଣ୍ଟାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ବାରକୋଟ ବ୍ଲକର ଖୁଣ୍ଟାଡ଼ିହି ଗ୍ରାମରେ ଗ୍ରାମାଂଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ସରକାରୀ ପ୍ରାଥମିକବିଦ୍ୟାଳୟ ସ୍ଥାପନା କରାଯାଇଥିଲା। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୩୮ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ରହିଛନ୍ତି ୨ଜଣ ଶିକ୍ଷକ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବିଦ୍ୟାଳୟରେ ରହିଛି ମାତ୍ର ଗୋଟିଏ ଶ୍ରେଣୀଗୃହ।
ତେବେ ଶ୍ରେଣୀଗୃହ ଅଭାବ ଯୋଗୁଁ ମାଟି ଚଟାଣ ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ପାଠପଢୁଛନ୍ତି। ଦୀର୍ଘ ବର୍ଷ ପୂର୍ବେ ବିଦ୍ୟାଳୟ ନିର୍ମାଣ କରାଯାଇଥିବାବେଳେ ଶ୍ରେଣୀ କୋଠରୀ ପ୍ଲାଷ୍ଟର ହୋଇନାହିଁ। ଚଟାଣର ମଧ୍ୟ ପ୍ଲାଷ୍ଟର ହୋଇନାହିଁ, ଯାହା ଫଳରେ ଚଟାଣର ମେଟାଲ ବର୍ତ୍ତମାନ ବାହାରକୁ ବାହାରିପଡିଛି। ବିଦ୍ୟାଳୟରେ କବାଟ ଝରକା ଥିବାବେଳେ ତାହା ବି ନଷ୍ଟ ହେବାକୁ ବସିଲାଣି। ବିଶେଷ କରି ବର୍ତ୍ତମାନ ବର୍ଷା ହେଉଥିବାବେଳେ ବିଦ୍ୟାଳୟରେ ବର୍ଷା ପାଣି ପଶୁ ଥିବା ହେତୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ସେହିପରି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିଲା। ତାହା ବି ଅଧପନ୍ତରିଆ ଅବସ୍ଥାରେ ପଡିରହିଥିବାବେଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇନପାରି ବର୍ତ୍ତମାନ ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ବିଦ୍ୟାଳୟରେ ନାହିଁ ପାଚେରୀ।ଏଭଳି ନାହିଁ ନଥିବା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବିଦ୍ୟାଳୟ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଏସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଯୋଗାଯୋଗ କରିବାରୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।
Deogarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/12/dgh-2025-09-12-21-09-32.jpg)