ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି। ଆଜି ଅପରାହ୍ନ ୩ଟାରେ ରଥ ଟଣା କାର୍ଯ୍ୟ ହୋଇଥିଲା। ରାତି ସାଢ଼େ ୯ଟା ସୁଦ୍ଧା ତିନି ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲେ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଥିଲେ। ପରେ ସୁଭଦ୍ରା ଓ ଜଗନ୍ନାଥ ରଥାରୁଢ଼ ହୋଇ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲେ। 

Advertisment

ଶ୍ରୀମନ୍ଦିର ସମ୍ମୁଖକୁ  ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସିଥିବାରୁ ବଡ଼ ଭାଇ ଓ ଭଉଣୀ ପହଂଚିବାର ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପରେ ପହଂଚିଥିଲେ। ସିଂହଦ୍ବାରରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ଏହା ପୂର୍ବରୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହୋଇଥିଲା। ପ୍ରାୟ ୨୦ ମିନିଟ ଯାଏଁ ଶ୍ରୀଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। 

ଆସନ୍ତାକାଲି (ରବିବାର) ମହାପ୍ରଭୁଙ୍କ ସୁନାବେଶ ହେବ। ଏହି ଦୁର୍ଲଭ ବେଶ ରଥ ଉପରେ ଆୟୋଜନ ହେବ। ଅପରାହ୍‌ଣ ୪ଟାରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ବିଳମ୍ବିତ ରାତି ଯାଏଁ ଜାରି ରହିବ। ଭକ୍ତମାନଙ୍କୁ ଶ୍ରୀଜିଉମାନେ ମହଣ ମହଣ ସୁନାରେ ସଜେଇ ହୋଇ ଦର୍ଶନ ଦେବେ। ପ୍ରଶାସନ ତରଫରୁ ସୁନା ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରାଫିକ ଓ ଶ୍ରୀମନ୍ଦିରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। 

ଆସନ୍ତାକାଲି ରଥ ଉପରେ ଅନନ୍ୟ ନୀତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି। ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ଼ ହେବ। ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଥିବା ବେଳେ ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି। ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ତାନ କରିବାର ବ୍ୟବସ୍ତା କରାଯାଇଛି।

ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ଯରେ ସୁନାବେଶ ଅର୍ଥାତ ବଡ଼ତଢାଉ ବେଶ ଅନ୍ଯତମ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି,ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ଯ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ  ଉପରେ ସୁନା ବେଶରେ ଦର୍ଶନ ଦେବେ।

୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି  ବିଶ୍ୱାସ ରହିଛି।

ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଆସନ୍ତାକାଲି ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ। ସୋମବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ଆସନ୍ତା ୮ ତାରିଖରେ ନୀଳାଦ୍ରି ବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ।

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ଶରଧାବାଲି ଠାରୁ ଆରମ୍ଭ କରି ସିଂହଦ୍ବାର ଯାଏଁ ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଥିଲା। ପବିତ୍ର ବଡ଼ଦାଣ୍ଡରେ ଭାବ ବିନୋଦିଆ ଠାକୁର ଓ ଭକ୍ତମାନଙ୍କର ଅପୂର୍ବ ମିଳନ ହୋଇଥିଲା। ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, ଘଣ୍ଟ, ମୃଦଙ୍ଗ, ନୃତ୍ୟରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମଝିରେ ମଝିରେ ଯଦିଓ ବର୍ଷା ଜାରି ରହିଥିଲା, ସେତେ‌ ବେଶି ଅସୁବିଧା ହୋଇ ନଥିଲା। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। 

puri | rath yatra