ରାଜନଗର: ଜୁଲାଇ ମାସରେ ପ୍ରବଳ ବର୍ଷା ହେଉଛି। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତ ୩ ଦିନ ହେଲା ଘରେ କି ବାହାରେ ରହିହେଉନି। ବିଦ୍ୟାଳୟ ଶ୍ରେଣୀ ଗୃହରେ ଛାତ୍ରୀମାନେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବା ସହ ଅଂଶୁଘାତର ଶିକାର ହୋଇଛନ୍ତି। ଜଣକ ପରେ ଜଣେ ଛାତ୍ରୀ ମୁଣ୍ଡ ବୁଲାଇ ନିସ୍ତେଜ ହୋଇ ପଡ଼ିଯାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଦୁଇଟି ବିଦ୍ୟାଳୟର ୧୦ ଜଣ ଛାତ୍ରୀ ଅଂଶୁଘାତର ଶିକାର ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ଆଜି ରାଜନଗର ଉଚ୍ଚ ବିଦ୍ୟାଳୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ୮ ଜଣ ନବମ ଶ୍ରେଣୀ ଛାତ୍ରୀ ଓ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏବଂ ଚାନ୍ଦିବାଉଁଶମୂଳସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଅଂଶୁଘାତର ଶିକାର ହୋଇଛନ୍ତି। ଶ୍ରେଣୀ ଗୃହରେ ପାଠପଢା ଚାଲିଥିବା ବେଳେ ଜଣକ ପରେ ଜଣେ ଛାତ୍ରୀଙ୍କର ଗରମରେ ମୁଣ୍ଡ ବୁଲାଇବା ସହିତ ଦେହ ନିସ୍ତେଜ ଲାଗିଥିଲା। ଛାତ୍ରୀମାନେ ମୁଣ୍ଡ ବୁଲାଇ ପଡିଥିଲେ।
ରାଜନଗର ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ପ୍ରିୟାଙ୍କା ବିଶ୍ଵାଳ, ୯ମ ଶ୍ରେଣୀ ଛାତ୍ରୀ ସୁଚିସ୍ମିତା ସେଠୀ, ତନୁଶ୍ରୀ ଦାସ, ଦୀପା ମଲ୍ଲିକ, ପୂର୍ଣ୍ଣିମା ପ୍ରଧାନ, ମାମୁନି ଦାସ, ପମଶ୍ରୀ ପ୍ରଧାନ ପ୍ରମୁଖ ଶ୍ରେଣୀ ଗୃହରେ ଅଂଶୁଘାତର ଶିକାର ହୋଇ ପଡ଼ିଯିବା ପରେ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଅନ୍ୟ ଦୁଇ ଜଣ ଛାତ୍ରୀ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଚାନ୍ଦିବାଉଁଶମୂଳସ୍ଥିତ ଶ୍ରୀଜଗନ୍ନାଥ ଉଞ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସୁଚିତ୍ରା ରାଉଳ ଗରମ ଯୋଗୁ ଶ୍ରେଣୀ ଗୃହରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ମଧ୍ୟ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଛି। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଦୁଇଟି ବିଦ୍ୟାଳୟର ୧୦ ଜଣ ଛାତ୍ରୀ ଅଂଶୁଘାତର ଶିକାର ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଚିତ୍ତ ରଞ୍ଜନ ସ୍ଵାଇଁ ଓ ଦୁଇଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ରାଜନଗର ଉଚ୍ଚ ବିଦ୍ୟାଳୟ ପରିସରରରେ ରାଜନଗର ଆଦର୍ଶ ବିଦ୍ୟାଳୟ ଚାଲିଛି। ଫଳରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ବସୁଛନ୍ତି। ପ୍ରବଳ ଗରମ ଯୋଗୁଁ ଛାତ୍ରୀମାନେ ଅଂଶୁଘାତର ଶିକାର ହେବ ପରେ ଛାତ୍ରଛାତ୍ରୀମାନେ ଆସି ଗଛମୂଳେ ବସି ପାଠ ପଢ଼ିଥିଲେ।
Kendrapara | Education | Health