ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ଦେହରେ ନିଆଁ ଲଗାଇବା ମାମଲାରେ କଂଗ୍ରେସ ନେତା ସୁର ରାଉତରାୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ଝିଅକୁ ଭେଟିବାକୁ ଦେଲେ ନାହିଁ କାହିଁକି? ଝିଅ ବଞ୍ଚିଛି କି ନାହିଁ ସନ୍ଦେହ ଉପୁଜୁଥିବା ନେଇ ପ୍ରଶ୍ନ ଆଣିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ଆସୁଥିବା ବେଳେ ତାଙ୍କ ଗସ୍ତ ଦୃଷ୍ଟିରୁ ମୃତ୍ୟୁ କଥା ଲୁଚାଉଥିବା ନେଇ ସନ୍ଦେହ ସୃଷ୍ଟି କରୁଛି।
କଂଗ୍ରେସ ନେତା ଶ୍ରୀ ରାଉତରାୟ କହିଛନ୍ତି, ରାଷ୍ଟ୍ରପତି ଆମ ମାଟିର ଝିଅ। ତାଙ୍କ ପାଇଁ ଢେର ସମ୍ମାନ ରହିଛି। ଆମକୁ କିନ୍ତୁ ଯଦି ମିଛ କୁହାଯାଇଛି। ତେବେ ଏହା ସାଙ୍ଘାତିକ। ଏମ୍ସ ବର୍ଣ୍ଣ ୱାର୍ଡକୁ ଯାଇ ପରିବାର ସହ ଆଲୋଚନା କରିଥିବା ବେଳେ ପୁଲିସ ବାହାରୁ ମଧ୍ୟ ଦେଖିବାକୁ ଦେଲା ନାହିଁ।
ବିଜେପି ସରକାର ମା’-ଭଉଣୀଙ୍କ ସମ୍ମାନର କଥା କହୁଛି। କିନ୍ତୁ ଏଠାରେ ଭଉଣୀଟେ ଜୀବନ ସହ ଲଢିଲା। କେହି ତା କଥା ଶୁଣିଲେ ନାହିଁ କିମ୍ବା ସୁରକ୍ଷା ଦେଇ ପାରିଲେନି। ପୀଡିତାଙ୍କ ବାପା ଖୋଦ ଦୁଃଖ କରିଛନ୍ତି। ଝିଅ ଯଦି ବଞ୍ଚିଛି। ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଉ। ନଚେତ ଶୀଘ୍ର ସତ କୁହନ୍ତୁ।
-ସୁର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା
ସୂଚନାଯୋଗ୍ୟ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।
ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।
Balasore | AIIMS Bhubaneswar