ରାଉରକେଲା: ଦୁର୍ନୀତିରେ ଉବୁଟୁବୁ ହେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ପ୍ରଥମେ ଆର୍‌ଜିଏଚ୍‌ ସ୍ବତନ୍ତ୍ର ଟିମ୍‌ ଓ ପରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ (ଏନ୍‌ଏଚ୍‌ଏମ୍‌) ଓ ଶେଷରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ଘାଣ୍ଟିଲା ପରେ ଦୁର୍ନୀତିର ସତ୍ୟତା ସାମ୍ନାକୁ ଆସିଛି। ତାହା ପୁଣି ଲକ୍ଷେ କି କୋଟିଏ ନୁହେଁ, ୧୫ କୋଟି ୩୬ ଲକ୍ଷ ୬୨ ହଜାର ୮୯୮ ଟଙ୍କା ତିନି ଠିକାସଂସ୍ଥାକୁ ବିନା କାଗଜପତ୍ରରେ ଦେଇ ଦିଆଯାଇଛି। ସ୍ବାସ୍ଥ୍ୟବିଭାଗ ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ ଆଉଟ୍‌ସୋର୍ସିଂ ସଂସ୍ଥା ମେର୍ସସ ଏଲ୍‌ ଆଣ୍ଡ କେ ସର୍ଭିସକୁ ଆଟେଣ୍ଡାଣ୍ଟ ସେବା ବାବଦରେ ଗତ ୨୦୨୩ ଜାନୁଆରିରୁ ୨୦୨୪ ଅଗଷ୍ଟ ୩୧ ମଧ୍ୟରେ ୨ କୋଟି ୧୧ ଲକ୍ଷ ୮୦ ହଜାର ୫୪୦ ଟଙ୍କା ମନଇଚ୍ଛା ଦିଆଯାଇଛି। ତାହା ପୁଣି ବିନା ଜିଏସ୍‌ଟିରେ ଦିଆଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ସଂସ୍ଥା ୬୬ ଜଣ ଆଟେଣ୍ଡାଣ୍ଟ, ୬ ଜଣ ଲିଫ୍‌ଟ ଅପରେଟର, ୪ ଜଣ ଅକ୍ସିଜେନ ଅପରେଟର ଓ ୪ ଜଣ ମାଳି ନିଯୁକ୍ତି କରିଥିଲା ବୋଲି ଦର୍ଶାଇଛି। ହେଲେ ସଂସ୍ଥା ପକ୍ଷରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦୈନିକ ଉପସ୍ଥାପନ ଖାତା ଓ ଆବଶ୍ୟକୀୟ କାଗଜପତ୍ର ନଥିବା ଯାଞ୍ଚବେଳେ ଅଡିଟ୍‌ ଟିମ୍‌ ଜାଣିବାକୁ ପାଇଛି।

Advertisment

ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରାରେ ବିନାକାଗଜପତ୍ରରେ ଏମିତି ବେଆଇନ କାମ ଚାଲିଥିଲା। ହାଉସ୍‌କିପିଂ ଆଉଟ୍‌ସୋର୍ସିଂ ସଂସ୍ଥା ‘ମେର୍ସସ୍‌ ପରିତୋଷ ସର୍ଭିସେସ୍‌’କୁ ଗତ ୨୦୧୯ ସେପ୍ଟେମ୍ବର ୧ରୁ ୨୦୨୪ ଏପ୍ରିଲ ୩୦ ମଧ୍ୟରେ ୭ କୋଟି ୨୪ ଲକ୍ଷ ୯୦ ହଜାର ୪୧୧ ଟଙ୍କା ଦିଆଯାଇଛି। ଆର୍‌ଜିଏଚ୍‌ ପାଣ୍ଠିରୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ପଠାଯାଇଥିବା ଟଙ୍କାର କୌଣସି କାଗଜପତ୍ର ନାହିଁ।

ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରାରେ ବିନାକାଗଜପତ୍ରରେ ଏମିତି ବେଆଇନ କାମ ଚାଲିଥିଲା। ହାଉସ୍‌କିପିଂ ଆଉଟ୍‌ସୋର୍ସିଂ ସଂସ୍ଥା ‘ମେର୍ସସ୍‌ ପରିତୋଷ ସର୍ଭିସେସ୍‌’କୁ ଗତ ୨୦୧୯ ସେପ୍ଟେମ୍ବର ୧ରୁ ୨୦୨୪ ଏପ୍ରିଲ ୩୦ ମଧ୍ୟରେ ୭ କୋଟି ୨୪ ଲକ୍ଷ ୯୦ ହଜାର ୪୧୧ ଟଙ୍କା ଦିଆଯାଇଛି। ଆର୍‌ଜିଏଚ୍‌ ପାଣ୍ଠିରୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ପଠାଯାଇଥିବା ଟଙ୍କାର କୌଣସି କାଗଜପତ୍ର ନାହିଁ। କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହା ସମ୍ପୃ୍କ୍ତ ସଂସ୍ଥା ଦେଖାଇପାରୁ ନଥିବାରୁ ସନ୍ଦେହ ଘନିଭୂତ ହୋଇଛି। ସେହି ସମାନ ସଂସ୍ଥାକୁ ଗତ ୨୦୧୯ ଜୁଲାଇ ୭ରୁ ୨୦୧୯ ଅଗଷ୍ଟ ୩୧ ମାତ୍ର ମାସକରେ ୬ ଲକ୍ଷ ୫୨ ହଜାର ୬୪୮ ଟଙ୍କା ଅଧିକ ଦିଆଯାଇଛି। ଏ ସମ୍ପର୍କିତ କାଗଜପତ୍ର ନଥିବାରୁ ସଂସ୍ଥା ଓ ବିଭାଗୀୟ ଅଧିକାରୀ ଭିତିରି ସଲାସୁତୁରା କରି ଚଳୁ କରିଦେଇଥିବା ଆଶଂକା କରାଯାଉଛି। ଅନୁରୂପ ଭାବେ ଗତ ୨୦୧୯ ଅଗଷ୍ଟ ୧ରୁ ୨୦୨୪ ଏପ୍ରିଲ ୩୦ ମଧ୍ୟରେ ମେର୍ସସ ସାରଳା ସିକ୍ୟୁରିଟି ସର୍ଭିସେସ୍‌କୁ ୫ କୋଟି ୯୩ ଲକ୍ଷ ୩୯ ହଜାର ୨୯୯ ଟଙ୍କା ଦିଆଯାଇଛି। ଗତ ୨୦୧୯ ଅଗଷ୍ଟ ୧ରୁ ୨୦୨୧ ଅଗଷ୍ଟ ୩୧ ମଧ୍ୟରେ ୨୪ ସିକ୍ୟୁରିଟି ଗାର୍ଡ, ୩ ସୁପରଭାଇଜର୍‌ ଓ ଗତ ୨୦୨୧ ସେପ୍ଟେମ୍ବର ୧ରୁ ୯୩ ସିକ୍ୟୁରିଟି ଗାର୍ଡ ଓ ୯ ସୁପରଭାଇଜର ବାବଦରେ ଉପରୋକ୍ତ ଟଙ୍କା ନିଆଯାଇଛି ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି। ମାତ୍ର ଏ ସମ୍ପର୍କିତ କାଗଜପତ୍ର ନଥିବା ଅଡିଟ୍‌ ଟିମ୍‌ ଜାଣିବାକୁ ପାଇଛି। ଏମିତି ଭାବେ ମୋଟ ୧୫ କୋଟି ୩୬ ଲକ୍ଷରୁ ଅଧିକ ଟଙ୍କାର ହେରଫେର ହୋଇଥିବା ଅଡିଟ୍‌ ଟିମ୍‌ ଜାଣିବାକୁ ପାଇଛି।

 ଏହି ତିନିଟି ସଂସ୍ଥାଠୁ ହେରଫେର ହୋଇଥିବା ଟଙ୍କା କାହିଁକି ଆଦାୟ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟବିଭାଗ ଟିମ୍‌ ପକ୍ଷରୁ ପ୍ରଶ୍ନ କରାଯାଇଛି। ଯେଉଁମାନେ ଏଭଳି ଅନିମିତତାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏ ସମ୍ପର୍କରେ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଆଖି ବୁଜିଦେଇଛନ୍ତି। ତେବେ ତିନିଟି ସଂସ୍ଥାରୁ ୧୫ କୋଟି ୩୬ ଲକ୍ଷ ଟଙ୍କା ଆଦାୟ ହେବ ନା ଅଡିଟ୍‌ ରିପୋର୍ଟ ଫାଇଲ୍ ଭିତରେ ଦବିଯିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।