ମାଲକାନଗିରି: ଜିଲ୍ଲାର ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟା ନିର୍ମାଣ ହେବା ପରେ ବାଲିମେଳା ଜଳଭଣ୍ଡାର ଘେରି ରହିଥିବା ୯ଟି ପଞ୍ଚାୟତର ସ୍ଥିତି ବଦଳିଛି। ୨୦୧୮ ମସିହାରେ ଜୁଲାଇ ୨୬ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟାରେ ପହଞ୍ଚି ଏହାର ଶୁଭ ଉଦଘାଟନ କରିବା ସହ ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଂଚଳ ରୂପେ ଘୋଷଣା କରି ୧୦୦ କୋଟି ଟଂକାର ଏକ ପ୍ରାରମ୍ଭକ ପ୍ୟାକେଜ ଘୋଷଣା କରିଥିଲେ। ସାତ ଦଶନ୍ଧି ଧରି ପରାଧୀନ ଜୀବନ ଯାପନ କରୁଥିବା ବିଛିନ୍ନାଞ୍ଚଳବାସୀ ଗୁରୁପ୍ରିୟା ସେତୁ ପାଇଁ ପୂନର୍ବାର ସ୍ବାଧୀନ ପାଇଥିଲେ କହିବା ଅତ୍ୟୁକ୍ତି ହେବ ନାହିଁ। ଗୁରୁପ୍ରିୟା ସ୍ବାଭିମାନ ଅଂଚଳ ପାଇଁ ବିକାଶର ବାଟ ଫିଟାଇ ଦେଇଥିଲା। ସ୍ବାଭିମାନ ଅଂଚଳର ସ୍ଥିତି ଏବେ ବଦଳିଛି।ଏଥିସହ ଏହି ଅଂଚଳରୁ ନକ୍ସଲଙ୍କ ପାଦ ଚିହ୍ନ ବି ହଟିଛି।
ଗତ ୪୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ବିଛିନ୍ନାଞ୍ଛଳର ୧୫୧ଟି ଗ୍ରାମର ଲୋକେ ଏକ ପ୍ରକାର ପରାଧୀନ ଜୀବନଯାପନ କରୁଥିଲେ। ନକ୍ସଲଙ୍କ ଆଇନ କାନୁନ ଚାଲୁଥିଲା ଏହି ଅଂଚଳରେ। ଲୋକେ ନକ୍ସଲଙ୍କ ବିନା ଇଙ୍ଗିତରେ ବାହାରକୁ ଯାଇପାରିବେ ନାହିଁ କିମ୍ବା ଭଲ ପୋଷାକ ପିନ୍ଧିପାରିବେ ନାହିଁ। ଏଥିସହ ଭର ଘର, ଗାଈଗୋରୁ ଏବଂ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ପ୍ରତିଦିନ ଲୋକେ ମରି ମରି ବଞ୍ଚିଆସୁଥିଲେ।ଏପରିକି ୨୦୧୧ରେ ନକ୍ସଲ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରି ନେଇ ଏହି ବିଛିନ୍ନା଼ଞ୍ଚଳରେ ରଖି ସରକାରଙ୍କ ସହ ମୂଲଚାଲ କରିଥିଲେ।
୨୦୧୮ ପୂର୍ବରୁ ସରକାରୀ ବାବୁଙ୍କ ପାଦ କେବେ ମଧ୍ୟ ଏହି ଅଂଚଳରେ ପଡୁନଥିଲା। ଏପରିକି ନକ୍ସଲ ଏହି ୯ଟି ପଞ୍ଚାୟତରେ ନିର୍ବାଚନ ମଧ୍ୟ କରାଇ ଦେଉନଥିଲେ। ଲୋକେ ଭୋଟ ଦେଲେ ଆଙ୍ଗୁଳି କାଟିଦେବାର ଭୟ ଦେଖାଉଥିଲେ। କିନ୍ତୁ ୧୯୮୨ ମସିହାରେ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ। ସେହି ଦିନ ଠାରୁ ବାରମ୍ବାର ସେତୁ ନିର୍ମାଣ ନେଇ ବହୁ ବାର ଟେଣ୍ଡର ହେବା ସହ ସେତୁର ଟଂକା ମଧ୍ୟ ବଢିବାରେ ଲାଗିଲା। ୮ କୋଟିରୁ ଆରମ୍ଭ ହୋଇଥିବା ଏହି ସେତୁ ସରିବା ବେଳକୁ ୧୭୨ କୋଟି ଟଂକାରେ ପହଞ୍ଚିଯାଇଥିଲା।
ଦଶନ୍ଧି ଦଶନ୍ଧି ପରେ ଚଳିତ ବର୍ଷ ନିର୍ବାଚନରେ ଲୋକେ ନିଜ ଅଂଚଳରେ ଭୋଟ ଦେଇଥିଲେ। ଗାଁ ଗାଁକୁ ରାସ୍ତା ହେବା ପରେ ଲୋକେ ଆଉ ଖଚର ବ୍ୟବହାର ଛାଡିଦେଲେ। ଆନ୍ଧ୍ର ଉପରେ ନିର୍ଭର କରୁଥିବା ଲୋକେ ଏବେ ଧୀରେଧୀରେ ଜିଲ୍ଲା ମୁହାଁ ହେଲେଣି। ଏହି ଅଂଚଳର ବିକାଶପାଇଁ ସେତୁ ଯୋଜନାରେ କୋଟି କୋଟି ଟଂକା ଖର୍ଚ୍ଚ ହେଉଛି। ଏହି ଅଂଚଳରୁ ଏବେ ନକ୍ସଲ ହଟିଲେ।ଲୋକେ ଶାନ୍ତିରେ ରାତିରେ ଶୋଇପାରୁଛନ୍ତି।
ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବା ପାଇଁ ଦିନରାତି ଏଠାରେ ବିଏସଏଫ ଯବାନ ପଇଁତରା ମାରୁଛନ୍ତି। ସେତୁ ହେବା ପରେ ଯନ୍ତ୍ରୀ, ଅଣ୍ଡ୍ରାପାଲୀ, ଧୂଳିପୁଟ, ପଣସପୁଟ, ପେପରମେଟଲା, ଯଡାମ୍ବ ପର୍ଯ୍ୟନ୍ତ ରାସ୍ତା ହେବା ସହ ତିନୋଟି ପୁଲିସ କ୍ୟାମ୍ପ ଏବଂ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଲୋକଙ୍କ ପାଇଁ ନେଟୱର୍କର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ପରିବାରକୁ ତତ୍କାଳୀନ ସରକାର ମାଗଣାରେ ମୋବାଇଲ ଯୋଗାଇ ଦେଇଥିଲେ। ସମସ୍ତଙ୍କୁ ଯେପରି କର୍ମନିଯୁକ୍ତି ଯୋଗାଇ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ବ ଦିଆଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/19/WjVofSoPd9BgGnuKx30h.jpg)