ଭଦ୍ରକ(ଡ. ହରିହର ନାୟକ): ଭଦ୍ରକ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିଲେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଦୟା ଲାଗୁଛି। ସରକାର ଆଇନର ଫାଶରେ ପକାଇ ଶିକ୍ଷକମାନଙ୍କୁ କଲ ବଲ୍ କରୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏମିତିକି ଉଚ୍ଚ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କର ଅଭାବ ରହିଛି। ଜିଲ୍ଲାରେ ଥିବା ୧୬୪୫ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଏଥିରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୫୩ ହଜାର ୫୩୫ ଜଣ ଛାତ୍ରଛାତ୍ରୀ ପାଠ ପଡ଼ୁଛନ୍ତି। ପିଲା ସଂଖ୍ୟା ଓ ଶ୍ରେଣୀ ସଂଖ୍ୟା ଅନୁପାତରେ ଶିକ୍ଷକ ନାହାନ୍ତି। ଅନେକ ପ୍ରାଥମିକ ବିଦ୍ୟାଳୟର ଜଣେ କିମ୍ବା ଦୁଇ ଜଣ ଶିକ୍ଷକଙ୍କୁ ନେଇ ସ୍କୁଲ ଚାଲିଛି। 

Advertisment

ଭଦ୍ରକ ସହରର ଗୋଟିଏ ଗୋଟିଏ ସ୍କୁଲରେ ଜଣେ ପ୍ରଧାନଶିକ୍ଷକଙ୍କୁ ଛାଡ଼ି ଦେଲେ ଆଉ ଜଣେ ମାତ୍ର ଶିକ୍ଷକଙ୍କର ଚାଲିଛି ସ୍କୁଲ। ୬ଟି ଶ୍ରେଣୀରେ ଜଣେ ଶିକ୍ଷକ କେମିତି ପାଠ ପଢ଼ାଉ ଥବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଥିବା। ପ୍ରଧାନଶିକ୍ଷକ ବିଭିନ୍ନ କାର୍ଯ୍ୟରେ ଦୌଡୁଥିବା ବେଳେ ଅଧିକାଂଶ ସମୟ ଟ୍ରେନିଂ ଓ କିରାଣୀ କାମ କରାଯାଉଛି। ଜଣେ ପ୍ରଧାନଶିକ୍ଷକଙ୍କୁ ପାଠ ପଢ଼ାଇବା ବଦଳରେ କିରାଣୀ କାମ ଓ ସରକାରଙ୍କ ବିଭିନ୍ନ ଯୋଜନା, ମଧ୍ୟାହ୍ନ ଭୋଜନ, ଅଣ୍ଡା, ଲଡୁ, ପୋଷାକ, ଜୋତା, ବହି ଆଣିବା ଓ  ଅଭିଭାବକ ମିଟିଂ, ଫାଇଲ କାମ କରାଯାଇ ସମୟ ନଷ୍ଟ କରାଯାଉଛି।

ସରକାର ସ୍କୁଲରେ କିରାଣୀ ନିଯୁକ୍ତି ନଦେଇ ଜଣେ ପ୍ରଧାନଶିକ୍ଷକ ଉପରେ କାମ ଲଦି ଦେବା ସହ ଅନେକ ସ୍କୁଲରେ ପ୍ରଧାନଶିକ୍ଷକ ନଥିବା ବେକେ ସେହି ସ୍ଥାନରେ ସହକାରୀ ଶିକ୍ଷକ ପ୍ରଧାନ ଶିକ୍ଷକ କାମ କରୁଛି। ସେହି ସ୍କୁଲରେ କିଭଳି ପାଠ ପଢ଼ା ଯାଉଥିବ ତାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାରେ ବହୁ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏବେ ପୁଣି ସରକାର ବାଲ୍ ବାଟିକା ସ୍କୁଲ ରେ ଖୋଲି ଆଉ ଏକ ନୂଆ ଶ୍ରେଣୀର ଚାପ ଶିକ୍ଷକଙ୍କ ଉପରେ ପକାଇ ଦେଇଛନ୍ତି। ଜିଲ୍ଲାରେ ପ୍ରାଥମିକ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠ ପଢା ଠିକ ଭାବରେ ହୋଇପାରି ନଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। 
ସେହିପରି ଜିଲ୍ଲାରେ ମୋଟ ୩୧୯ ଟି  ହାଇସ୍କୁଲରେ ମୋଟ ୪୩ ହଜାର ୫୨୩ ଜଣ ଛାତ୍ର ଛାତ୍ରୀ ନବମ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଏମାନଙ୍କ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି। ଜିଲ୍ଲାରେ ଥିବା ଆଡେଡ୍‌ ହାଇସ୍କୁଲରେ ସବୁଠି ପ୍ରଧାନ ଶିକ୍ଷକ ଅଭାବ। ନ୍ୟୁ ଆଡେଡ୍ ସ୍କୁଲ କଥା ନ କହିବା ଭଲ। ବିନା ପ୍ରଧାନଶିକ୍ଷକରେ ସ୍କୁଲର ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଥିବ ତାହା ସହଜରେ ବୁଝା ପଡୁଛି। କେବଳ ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ି ନାହିଁ। ହାଇ ସ୍କୁଲରେ  ପିଜିଟି, ସିବିଜେଡ଼ , ଆର୍ଟସ ଶିକ୍ଷକ ସଂଖ୍ୟା ବି କମ୍ ରହିଛନ୍ତି।

ଶିକ୍ଷକ ଅଭାବରୁ ଶିକ୍ଷାଦାନ  ବାଧାପ୍ରାପ୍ତ ହୋଉଛି। ବିନା ଶିକ୍ଷକରେ ସ୍କୁଲ ପିଲା ଶ୍ରେଣୀ ଡେଉଁଛନ୍ତି। ଗୁଣାତ୍ମକ ଶିକ୍ଷାର ମାନ ଖସୁଛି। ଅଧିକାଂଶ ସ୍କୁଲରେ କିରାଣୀ ଓ ପିଅନ ନାହାନ୍ତି। ଅନେକ ସ୍କୁଲରେ ଶିକ୍ଷକମାନେ ଘଣ୍ଟା ପିଟୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି। ହେଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କଥା କେହି ଚିନ୍ତା କରୁନାହାନ୍ତି। ଶିକ୍ଷକ ଅଭାବ ପୂରଣ ଲାଗି ସରକାର ଅତିଥି ଶିକ୍ଷକଙ୍କୁ ଭରସା କରୁଛନ୍ତି। ଅବସର ନେଇଥିବା ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହି ପ୍ରକ୍ରିୟା ଏବେ ସୁଦ୍ଧା ଶେଷ ହୋଇନାହିଁ।

ଅତିଥି ଶିକ୍ଷକ ନିଯୁକ୍ତି ମିଳୁମିଳୁ ଶିକ୍ଷା ବର୍ଷର ୬ ମାସ ଶେଷ ହୋଇଯାଉଛି। ତାହା ପୁଣି ଶିକ୍ଷକ ଅଭାବକୁ ପୂରଣ କରିପାରୁ ନାହିଁ। ଅତିଥି ଶିକ୍ଷକ ଆବଶ୍ୟକ ଅନୁଯାୟୀ  ନିଯୁକ୍ତି ଦିଆ ଯାଉନାହିଁ। ଭଦ୍ରକ ଜିଲ୍ଲାର ଆଡେଡ୍ ହାଇସ୍କୁଲ ଶିକ୍ଷାଦାନ ଲାଗି ୨୨୦ଟି ଶିକ୍ଷକ ପଦ ବାହାରିଥିଲା। ଅବସରପ୍ରାପ୍ତ ଶିକ୍ଷକ ୬୦ରୁ ୬୫ ବର୍ଷର ବ୍ୟକ୍ତି ଆବେଦନ କରିବାର ନିୟମ ଥିଲା । ହେଲେ ୨୨୦ ପଦବି ଲାଗି ଆବେଦନ କରିଥିବା ଅତିଥି ଶିକ୍ଷକଙ୍କ ମଧ୍ୟରୁ ଏବେ ୧୫୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ ହୋଇ ଏବେ ଅଗଷ୍ଟ ସରିଛି। ତଥାପି ନିଯୁକ୍ତି ନିମନ୍ତେ ଆଦେଶନାମା ବାହାରି ପାରିନି।

ଭଦ୍ରକ ଜିଲ୍ଲାର ୧୭୫ଟି ସରକାରୀ ହାଇସ୍କୁଲ ରହିଛି। ତନ୍ମଧ୍ୟରୁ ୧୧୫ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ରହିଛନ୍ତି। ସରକାରୀ ସ୍କୁଲରେ ୫୦୬ କଳା ଶିକ୍ଷକରୁ ୫୫ରୁ ପିଅନ ପଦବି ୩ ଶହ ଥିବାବେଳେ ୨ ଶହରୁ ଅଧିକ ପଦବି ପାଙ୍କା। ରାତ୍ର ଜଗୁଆଳି ସ୍ଥିତି ବି ସଙ୍ଗୀନ। ୧୬୯ ପଦରୁ ୧୦୫ ସ୍କୁଲ ଏବେ ବିନା ଜଗୁଆଳିରେ ଚାଲିଛି। ସରକାରୀ  ହାଇସ୍କୁଲ ଅବସ୍ଥା ଯଦିଓ ଟିକେ ଭଲ ଅଛି, କିନ୍ତୁ ଆଡେଡ୍ ଓ ନ୍ୟୁ ଆଡେଡ୍ ସ୍କୁଲ ଶିକ୍ଷା, ରସାତଳକୁ ଗଲାଣି। ଭଦ୍ରକ ଜିଲ୍ଲାର ୩୪ଟି ଆଡେଡ୍‌ ହାଇସ୍କୁଲ ଥିବାବେଳେ ନ୍ୟୁ ଆଡେଡ୍‌ ସ୍କୁଲ ସଂଖ୍ୟା ୯୧। ଏହି ସ୍କୁଲକୁ ସରକାର ଅଣଦେଖା କରି ଆସୁଛନ୍ତି। ଏବେ ୩୪ ଆଡେଡ୍‌ ହାଇସ୍କୁଲରୁ ୩୨ଟିରେ ନିମୟିତ ପ୍ରଧାନଶିକ୍ଷକ ନାହାନ୍ତି। ପିଅନ ୭୪ଟି ପଦରୁ ୪୮ଟି ପୀଙ୍କା ପଡ଼ିଛି। ଅଧିକାଂଶ ସ୍କୁଲରେ ପିଅନ ନ ଥିବାରୁ ପ୍ରଧାନଶିକ୍ଷକ ଓ ଶିକ୍ଷକ ଝାଡୁ ମାରୁଛନ୍ତି।

୯୧ଟି ନ୍ୟୁ ଆଡେଡ୍‌ ସ୍କୁଲରେ ୧୦ରୁ ଅଧିକ ପ୍ରଧାନଶିକ୍ଷକ ନ ଥିବାବେଳେ ୨୦ଟି ସ୍କୁଲରେ ପିଅନ ଓ ୧୮ଟିରେ ରାତି ଜଗୁଆଳି ବିନା ସ୍କୁଲ ଚାଲିଛି। ରାଜ୍ୟ ସରକାର ଏହି ଆଡେକ ଓ ନ୍ୟୁ ଆଡେନ୍‌ ୧୨୫ ହାଇସ୍କୁଲରେ ଏବେ ବିଭିନ୍ନ ୨୨୦ ବିଭାଗରେ ଶିକ୍ଷକ ଦରକାର ପଡ଼ୁଥିବାବେଳେ ଏହାର ଭରଣା ଲାଗି ଅତିଥି ଶିକ୍ଷକଙ୍କ ଲୋଡ଼ା ପଡ଼ିଛି। ଜିଲ୍ଲା ଶିକ୍ଷା ବିଭାଗ ଆନ୍ତରିକତା ଅଭାବରୁ ଏଭଳି ଅବସ୍ଥା ଆଡେଡ୍ ହାଇସ୍କୁଲ ଶିକ୍ଷା ବାଟବଣା ଅବସ୍ଥାକୁ ଆସିଛି। ସରକାରଙ୍କ ଆନ୍ତରିକା ଅଭାବରୁ ଦୀର୍ଘ ୪୫ ବର୍ଷର ଆଡେଡ୍‌ ହାଇସ୍କୁଲ ସରକାରୀ ହୋଇପାରୁନି। ଯଦ୍ୱାରା ପ୍ରଧାନ ଶିକ୍ଷକ ସଙ୍କଟ ଲାଗି ରହିଛି। ତୁରନ୍ତ ଏସବୁ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି। ଭଦ୍ରକ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। 

Bhadrak