ଭୁବନେଶ୍ବର: କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ତାତି ଫେରିଛି। ଦିନ ୧୦ଟାରେ ଖରା ଏମିତି ହେଉଛି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ତାତିରୁ ଏବେ ନିସ୍ତାର ମିଳିବ ନାହିଁ। 

Advertisment

ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି। ଏପଟେ ଆସନ୍ତା ୩ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅର୍ଥାତ ମାର୍ଚ୍ଚ ୩୦ ଯାଏଁ ଗରମରେ ଆଉଟୁପାଉଟୁ ହେବ ରାଜ୍ୟବାସୀ । ଏହି ତିନି ଦିନ ଭିତରେ କିଛି ସ୍ଥାନରେ ଦିନର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ। ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ତିନି ଦିନ ପାଇଁ ସତର୍କ କରିଛି ପାଣିପାଗ କେନ୍ଦ୍ର।  

ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଶନିବାର ପାଇଁ ୬ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର  ଓ ଝାରସୁଗୁଡ଼ାରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। 

 

୩୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ,ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ। ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ। 

ଗତ ୨୪ ଘଂଟାରେ ୩ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି। 

Weather | IMD