ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଅନ୍ଧକାର ଦିଗ ଏବେ ଚିନ୍ତାର କାରଣ ହେଲାଣି। ବିଶ୍ବର ସବୁଠାରୁ ବଡ଼ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଏବେ ଏଆଇର ଉପଯୋଗ କରି ନିଜର ପ୍ରଭାବ ବିସ୍ତାର କରୁଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏ ନେଇ ସତର୍କ ନଜର ରଖିଛନ୍ତି। ଗତ ମାର୍ଚ୍ଚ ମାସରେ ରୁଷିଆର ଏକ କନସର୍ଟ ହଲ୍ରେ ଇସ୍ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କ ଆକ୍ରମଣର କିଛି ଦିନ ପରେ ସାମରିକ ପୋଷାକ ଓ ହେଲ୍ମେଟ୍ ପିନ୍ଧିଥିବା ଜଣେ ବ୍ୟକ୍ତି ଏକ ଅନ୍ଲାଇନ୍ ଭିଡିଓରେ ଏହି ଆକ୍ରମଣକୁ ସେଲିବ୍ରେଟ୍ କରିଥିଲେ, ଯେଉଁଥିରେ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ଏଭଳି ଅନ୍ଲାଇନ୍ ବିଷୟବସ୍ତୁ ଉପରେ ନଜର ରଖିଥିବା ସଂସ୍ଥା ସାଇଟ୍ ଇଣ୍ଟେଲିଜେନ୍ସ ଗ୍ରୁପ୍ ଅନୁଯାୟୀ, ରୁଷିଆରେ ଇସ୍ଲାମିକ୍ ଷ୍ଟେଟ୍ର ଆକ୍ରମଣ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। କିନ୍ତୁ ଭିଡିଓରେ ଥିବା ବ୍ୟକ୍ତି ବାସ୍ତବ ନ ଥିଲେ- ଉକ୍ତ ଭିଡ଼ିଓଟି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ତିଆରି କରାଯାଇଥିଲା ବୋଲି ସାଇଟ୍ ଓ ଅନ୍ୟ ଅନ୍ଲାଇନ୍ ଗବେଷକ ମତ ଦେଇଛନ୍ତି। ଲଣ୍ଡନର ଏକ ଥିଙ୍କ୍ ଟ୍ୟାଙ୍କ୍ ରୟାଲ ୟୁନାଇଟେଡ୍ ସର୍ଭିସେସ୍ ଇନଷ୍ଟିଚ୍ୟୁଟ୍ର ଗବେଷକ ଫେଡେରିକୋ ବୋର୍ଗୋନୋଭୋ ଏଆଇ ଭିଡିଓ ପ୍ରସ୍ତୁତିରେ ଆଇଏସ୍ ସମର୍ଥକ ସକ୍ରିୟ ଥିବା ଠାବ କରିଥିଲେ। ଏହି ବ୍ୟକ୍ତି ଜଣକ ଇସ୍ଲାମିକ ଷ୍ଟେଟ୍ର ଅଫିସିଆଲ୍ ନ୍ୟୁଜ୍ ଆଉଟ୍ଲେଟ୍ର ବୟାନ, ବୁଲେଟିନ୍ ଓ ତଥ୍ୟକୁ ମିଶାଇ ଏଆଇ ବ୍ୟବହାର କରି ଭିଡିଓ ପ୍ରସ୍ତୁତ କରିଥିଲେ ବୋଲି ବୋର୍ଗୋନୋଭୋ ସ୍ପଷ୍ଟ କରିଛନ୍ତି।
ଡିଜିଟାଲ ବିଶେଷଜ୍ଞମାନେ କହିଛନ୍ତି ଯେ ଆଇଏସ୍ ଓ କଠୋର ଦକ୍ଷିଣପନ୍ଥୀ ଗୋଷ୍ଠୀ ଅନ୍ଲାଇନ୍ରେ ଏଆଇ ବ୍ୟବହାର କରୁଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିରାପତ୍ତା ନିୟନ୍ତ୍ରଣର ସୀମା ପରୀକ୍ଷା କରୁଛନ୍ତି। ୱେଷ୍ଟପଏଣ୍ଟସ୍ଥିତ ‘କମ୍ବାଟିଂ ଟେରରିଜମ୍ ସେଣ୍ଟର’ ଦ୍ୱାରା ଜାନୁଆରିରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଏଆଇକୁ ପ୍ରଚାର କାର୍ଯ୍ୟରେ ତଥା ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଓ ସାଇବର ଆକ୍ରମଣ ପାଇଁ ବ୍ୟବହାର କରାଯାଇପାରିବ। ଏକ ସ୍ୱତନ୍ତ୍ର ରିପୋର୍ଟରେ ‘ସାଇଟ୍ ଇଣ୍ଟେଲିଜେନ୍ସ ଗ୍ରୁପ୍’ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦେଶିକା ରୀତା କାଟ୍ଜ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଅଲ୍କାଏଦାଠାରୁ ଆରମ୍ଭ କରି ନିଓ-ନାଜି ନେଟୱାର୍କ ପର୍ଯ୍ୟନ୍ତ ଅନେକ ଆତଙ୍କୀ ଗୋଷ୍ଠୀ ଏହି ଟେକ୍ନୋଲୋଜିର ଉପଯୋଗ କରୁଛନ୍ତି। ଆତଙ୍କବାଦୀ ଓ ଉଗ୍ରବାଦୀ ଗୋଷ୍ଠୀ ପାଇଁ ଏଆଇ ଏକ ବରଦାନ ସାବ୍ୟସ୍ତ ହୋଇଛି, ଯାହା ମାନବସମାଜ ପାଇଁ ସଂକଟ ଆଣିପାରେ। ଏହା ଏଆଇର ଏକ ଅନ୍ଧାର ଦିଗ ବୋଲି ସେ କହିଛନ୍ତି।