ନୂଆପଡ଼ା/ବୋଡେ଼ନ: ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଏହି ଗାଁରେ ମଙ୍ଗଳବାର ଦିନ ଜଣେ ବାପା ନିଜ ୧୪ ମାସର ପୁଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିବା ବେଳେ ଝିଅର ତଣ୍ଟି କାଟି ଦେଇଛି। ଏହି ଲୋମଟାଙ୍କୁରା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ନାବାଳକ ହେଲା ଚନ୍ଦନ।
ଅପରାହ୍ଣରେ କିଶୋର ଦୁଇ ଝିଅ ଓ ପୁଅକୁ ଧରି ଗାଁ ନିକଟ ଜଙ୍ଗଲକୁ ଯାଇଥିଲା। ସେଠାରେ ଦୁଇ ଝିଅ ଓ ପୁଅକୁ ହତ୍ୟା କରିବାକୁ କିଶୋର ଯୋଜନା କରିଥିଲା।
ସୂଚନା ଅନୁସାରେ, ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ ଜଙ୍ଗଲ ପାହାଡ଼ ଘେରା କୁଟିଆପଡ଼ା ଗାଁର କିଶୋର ମାଝୀ ଗତ ୧୨ ବର୍ଷ ତଳେ ସେହି ଗାଁର ଜୟନ୍ତୀ ମାଝୀଙ୍କୁ ପ୍ରେମ ବିବାହ କରିଥିଲା। କିଶୋର ଓ ଜୟନ୍ତୀଙ୍କ ଦୁଇ ଝିଅ କମଳାକାନ୍ତି(୧୦) ଓ ଲକ୍ଷ୍ମୀକାନ୍ତି (୮) ଓ ୧୪ ମାସର ପୁଅ ଚନ୍ଦନ। ସ୍ବାମୀ ଓ ସ୍ତ୍ରୀ କୁଲିମଜୁରୀ କରିବା ସହ ବେଳେ ବେଳେ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ପରିବାର ପ୍ରତିପୋଷଣ କରୁଥିଲେ।
ଶ୍ବଶୁର ଘର ଲୋକଙ୍କୁ ଯୌତୁକ ଦାବି କରି କିଶୋର ଅନେକ ସମୟରେ ସ୍ତ୍ରୀ ଜୟନ୍ତୀଙ୍କୁ ମାଡ଼ ପିଟ କରୁଥିଲା। ଏହି ସ୍ବାମୀ ଓ ସ୍ତ୍ରୀଙ୍କ କଳିଝଗଡ଼ା ସମାଧାନ କରିବାକୁ ଉଭୟ ପରିବାର ଲୋକେ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ପୁଣି କିଶୋର ଓ ଜୟନ୍ତୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡ଼ା ହୋଇଥିଲା। କିଶୋର ସ୍ତ୍ରୀ ଜୟନ୍ତୀଙ୍କୁ ମାଡ଼ପିଟ ବି କରିଥିଲା। ଫଳରେ ଜୟନ୍ତୀ ନିଜ ବାପା ଘରକୁ ଚାଲି ଯାଇଥିଲେ। ଘରେ କିଶୋରଙ୍କ ସହ ପୁଅଝିଅ ଥିଲେ। ଅପରାହ୍ଣରେ କିଶୋର ଦୁଇ ଝିଅ ଓ ପୁଅକୁ ଧରି ଗାଁ ନିକଟ ଜଙ୍ଗଲକୁ ଯାଇଥିଲା। ଜଙ୍ଗଲରେ ଦୁଇ ଝିଅ ଓ ପୁଅକୁ ହତ୍ୟା କରିବାକୁ କିଶୋର ଯୋଜନା କରିଥିଲା। ଏହି ସମୟରେ ସାନ ଝିଅ ଲକ୍ଷ୍ମୀକାନ୍ତି ବାପାଙ୍କ ଯୋଜନା ଜାଣିପାରି କୌଶଳ କ୍ରମେ ଖସି ଯାଇଥିଲେ। ପରେ ବଡ଼ ଝିଅ କମାଳାକାନ୍ତି ଓ ପୁଅ ଚନ୍ଦନଙ୍କୁ ଧରି ଜଙ୍ଗଲ ଭିତରକୁ ନେଇଥିଲା। ସେଠି ଚାଷଜମି ଭିତରେ ପାଣିରେ ବୁଡାଇ ୧୪ ମାସର ପୁଅକୁ କିଶୋର ହତ୍ୟା କରିଥିଲା।
ବର୍ତ୍ତମାନ ପୁଅର ମୃତଦେହ ବୋଡେ଼ନ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ବୋଡେ଼ନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।