ପାଟଣାଗଡ଼ (ଶିରୀଶ ଚନ୍ଦ୍ର ଖମାରୀ): ଓଡ଼ିଶାରେ ଯେଉଁ କେତୋଟି ପ୍ରସିଦ୍ଧ ଶୈବପୀଠ ରହିଛି, ସେଗୁଡ଼ିକ ମଧ୍ୟରୁ ହରିଶଙ୍କର ହେଉଛି ଅନ୍ୟତମ। ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଗନ୍ଧମାର୍ଦନ ପାହାଡ଼ର ପାଦଦେଶରେ ରହିଛି ଏହି ପବିତ୍ର ତୀର୍ଥକ୍ଷେତ୍ର, ଯେଉଁଠିକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ। ଆଜି ଶ୍ରାବଣର ତୃତୀୟ ସୋମବାର ଅବସରରେ ଏହି ଶୈବପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କର ସମାଗମ ହୋଇଛି। ଅନ୍ୟଦିନ ଭଳି ଆଜି ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗନ୍ଧମାର୍ଦ୍ଦନ ପାହଡ଼ ତଳେ ଗେରୁଆ ବସ୍ତ୍ରଧାରୀମାନଙ୍କ ଭିଡ଼ ଲାଗିବାର କାରଣ ହେଲା ଏଠାକାର ପରିବେଶ ଓ ବାବା ହରିଶଙ୍କରଙ୍କ ମନ୍ଦିର ଓ ପ୍ରକୃତିର ଆକର୍ଷଣ।
ହରିଶଙ୍କରଙ୍କ ଆବିର୍ଭାବ
୧୨୦୦ ଖ୍ରୀଷ୍ଟବ୍ଦର କଥା। ସିପକା ବଂଶୀୟ ସହଦେବ ଭୁଏ ନାମକ ଜୈନିକ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜଣେ ବୃଦ୍ଧ ଗନ୍ଧମାର୍ଦନ ପାହାଡର ନିମ୍ନଭାଗରେ କନ୍ଦମୂଳ ଖୋଳୁଥିଲେ। ଏହି ସମୟରେ ତାଙ୍କର ଖଣତି ଏକ ସ୍ଥାନ (ଶିବ ଲିଙ୍ଗ)ରେ ଆଘାତ ଲାଗିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ହଠାତ୍ ସେଠାରେ ଏକ ବିରାଟକାୟ ରୂପଧାରଣ କରି ଜଣେ ସନ୍ୟାସୀ ଦେଖାଦେଇଥିଲେ। ସନ୍ୟାସୀଙ୍କୁ ଦେଖି ବ୍ୟକ୍ତି ଜଣକ ଭୟରେ ସେଠାରୁ ତୁରନ୍ତ ଘରକୁ ପଳାଇ ଆସିଥିଲେ। ଘରେ ନିଜ ସ୍ତ୍ରୀ ପରିବାରବର୍ଗ ଓ ପଡ଼ିଶାରେ ଏ ସମ୍ପର୍କରେ କହିଥିଲେ। ସେ ଯେତେବେଳେ ଶୋଇଲେ, ରାତିରେ ସପ୍ନାଦେଶ ହେଲା। ସ୍ବପ୍ନରେ ଭଗବାନ ହରିଶଙ୍କର ଆସି କନ୍ଧ ବୁଢ଼ାଙ୍କୁ.. ଆମ୍ଭେ ହରିଶଙ୍କର। ଏଠାରେ ବହୁ ଦିନରୁ ମବଷିକ ଦୈତ୍ୟକୁ ଜଗି ରହିଥିଲୁ।
ହରିଶଙ୍କରଙ୍କ କିମ୍ବଦନ୍ତୀ
ହରିଶଙ୍କରଙ୍କ ଉପରେ ଥିବା ଅନେକ କିମ୍ବଦନ୍ତୀରୁ ଗୋଟିଏକୁ ସଭିଏଁ ସ୍ବୀକାର କରି ଆସିଛନ୍ତି। ଏପରିକି ଗବେଷକମାନେ ମଧ୍ୟ ଏହାକୁ ଗ୍ରହଣ କରନ୍ତି। ଯାହା ହେଉଛି ଅର୍ଜୁନଙ୍କ ଗୋ ବଧ ଓ ପାପ ମୋଚନ କାହାଣୀ। ଦ୍ବାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସରେ ଥାନ୍ତି। ସେହି ସମୟରେ ସେମାନେ ଗନ୍ଧମାର୍ଦନ ପାହାଡ଼ରେ ଲୁଚିବା ପାଇଁ ଆସିଥାନ୍ତି। ଏହି ସମୟରେ ପାଣ୍ଡବଙ୍କ ପିତୃଶ୍ରାଦ୍ଧ ପଡ଼ିଥାଏ। ଶ୍ରାଦ୍ଧ ପାଇଁ ଏକ ଗଣ୍ଡାର ଆବଶ୍ୟକ ପଡିଥିଲା। ନିର୍ଦ୍ଦେଶ ପାଇ ଅର୍ଜୁନ ନିଜ ଧନୁ ଓ ତୀର ଧରି ଜଙ୍ଗଲରେ ଗଣ୍ଡାର ଶିକାର ପାଇଁ ବାହାରିଥିଲେ। ହେଲେ ସେ ଭୁଲ ବଶତଃ ଗଣ୍ଡା ଶିକାର କରିବା ବଦଳରେ ଏକ ଗାଈକୁ ତୀର ମାରିଥିଲେ। ଯେତେବେଳେ ସେ ସେଠାକୁ ଯାଇ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରର ସେହି ସମୟରେ ସେଠାରେ ଏକ ଗାଈ ଶିବଲିଙ୍ଗ ଉପରେ ଛିଡ଼ା ହୋଇ କ୍ଷୀର ଦେଉଛି। ଏହା ଦେଖି ଅର୍ଜୁନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ଗୋ ହତ୍ୟାରୁୁ କିପରି ସେ, ମୁକ୍ତି ପାଇବେ ତାକୁ ନେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ପ୍ରାର୍ଥନା କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୁଃଖ ସହି ନପାରି ସେଠାରେ ଆବିର୍ଭାବ ହୋଇଥିଲେ ଓ ଅର୍ଜୁନଙ୍କୁ ହରି ଓ ଶଙ୍କରଙ୍କ ଉଚ୍ଚାରଣ କଲେ ଏହି ପାପରୁ ମୁକ୍ତ ହେବେ ବୋଲି କହିଥିଲେ। ଏହା ଶୁଣି ଅର୍ଜୁନ ହରି ଓ ଶଙ୍କରଙ୍କ ଧ୍ୟାନ କରିବା ସହ ଦର୍ଶନ ଓ ପୂଜା କରିଥିଲେ। ଅର୍ଜୁନ ଏକ ସମୟରେ ହରି ଓ ଶଙ୍କରଙ୍କ ଆଶୀର୍ବାଦ ଲାଭ କରିଥିଲେ ଏବଂ ସେ ଗୋହତ୍ୟାରୁୁ ମୁକ୍ତି ପାଇଥିଲେ। କେବଳ ଏତିକି ନୁହେଁ ଏଠାକୁ ତ୍ରେତୟା ଯୁଗରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଆସିଥିବା ନେଇ ଇତିହାସରୁ ଜଣାପଡ଼େ। କେବଳ ଏତିକି ନୁହେଁଳ ହରିଶଙ୍କରକୁ ଚୀନ ପରିବ୍ରାଜକ ହୁଏନ ସାଂ ଆସିଥିବା, ପୂର୍ବରୁ ନାଗାର୍ଜୁନ ନାନକ ଦାର୍ଶନିକ ବୌଦ୍ଧ ସନ୍ୟାସୀ ଗନ୍ଧମାର୍ଦନ ପାହାଡରେ ଏକ ବୌଦ୍ଧ ବିଦ୍ୟାପୀଠ ପ୍ରତିଷ୍ଠା କରି ବହୁ ଶିଷ୍ୟଙ୍କୁ ବିଦ୍ୟା ପ୍ରଦାନ କରୁଥିବା ନେଇ ମଧ୍ୟ ଇତିହାସରୁ ଜଣାପଡ଼େ।
ହରିଶଙ୍କରରେ ମୁଖ୍ୟ ପୂଜା ଗୁଡିକ ହେଲା ହରିଶଙ୍କର ମହୋତ୍ସବ ବା ନୃସିଂହ ଚତୁର୍ଦଶୀ ମେଳା, ମକର ସଂକ୍ରାନ୍ତି, ମହା ଶିବରାତ୍ରି, ଶିତଳ ଷଷ୍ଠୀ, ରଥଯାତ୍ରା, ଶ୍ରାବଣ ସୋମବାର, ପଞ୍ଚମ ସ୍ନାନ, ଦୀପାବଳି, ରାମ ନବମୀ, ଦଶହରା, ନବଆଖାଇ ଇତ୍ୟାଦି। ହରିଶଙ୍କରର ପାପନାଶିନୀ ଗଙ୍ଗା ବା ଝରଣାରେ ବୁଡ଼ ଲଗାଇ ହରିଶଙ୍କରଙ୍କ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
ହରିଶଙ୍କର ମନ୍ଦିରର ନିର୍ମାଣ
ପାଟଣାଗଡ଼ର ଚୌହାନ ବଂଶୀୟ ରାଜା ବୈଜଲ ସିଂ ଦେବ ୧୨୪୬ରୁ ୧୩୧୧ ଖ୍ରୀଷ୍ଟବ୍ଦରେ ଶାସନ କରୁଥିଲେ। ତାଙ୍କ ତୃତୀୟ ପାଟରାଣୀ ଦୁର୍ଲ୍ଲଭୀ ଦେବୀ ବିଷ୍ଣୁ ଓ ଶିବଙ୍କର ଭକ୍ତ ଥିଲେ। ଉଭୟ ବିଷ୍ଣୁ ଓ ଶିବ ଏକ ବୋଲି ସେ ମନେ କରି ପୂଜା କରୁଥିଲେ। କିନ୍ତୁ ପଣ୍ଡିତମାନେ ଏହାକୁ ସ୍ବୀକାର କରୁ ନ ଥିଲେ। ଏହା ଦେଖି ରାଣୀ ଦୁର୍ଲ୍ଲଭୀ ଦୁହିଁଙ୍କ ଏକ ରୂପ ଦେଖାଇବା ପାଇଁ ନିତି ଦିନ ଭଗବନଙ୍କ ଠାରେ ପ୍ରାର୍ଥନା କରୁଥିଲେ। ନୃସିଂହନାଥରେ ମନ୍ଦିର ନିର୍ମାଣ କରି ଆସି ଗଭୀର ନିଦ୍ରାରେ ଶୋଇଥିବା ବେଳେ ଏକ ସ୍ବପ୍ନାଦେଶ ହେଲା। ଏଥିରେ ଜଣେ ବ୍ରାହ୍ମଣବେଶୀ କହିଲେ ଗନ୍ଧମାର୍ଦ୍ଦନ ପୂର୍ବପଟକୁ ଯାଅ, ସେଠାରେ ତୋ ବାଞ୍ଛିତ ରୂପ ପାଇବୁ। ସତ୍ୟ ପରୀକ୍ଷା ପାଇଁ ରାଣୀ ନିଜ ସନ୍ୟ ସାମନ୍ତଙ୍କ ସହ ବାହାରିଥିଲେ। ସହଦେବ ସାହୁ ବାଟ କଢ଼ାଇ ନେଇଥିଲେ। ସେଠାରେ ସେ ବିଷ୍ଣୁ ଓ ଶିବଙ୍କ ସଂଯୁକ୍ତ ମୂର୍ତ୍ତି ଦେଖିଲେ। ସେଠାରେ ସେ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରାଇ ମନ୍ଦିର ନିର୍ମାଣ କରାଇଲେ।
ହରିଶଙ୍କର ମନ୍ଦିରର ଅବସ୍ଥିତି
ଐତିହାସିକ ଗନ୍ଧମାର୍ଦନ ପର୍ବତମାଳାର ପାଦଦେଶରେ ରହିଛି ହରିଶଙ୍କର ପୀଠ। ଏଠିକାର ପରିବେଶ ଅତ୍ୟନ୍ତ ପ୍ରାକୃତିକ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ। ପାହାଡ, ଜଙ୍ଗଲ ଘେରାରେ ଅନେକ ଝରଣା ରହିଛି। ଏଠାରେ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଭକ୍ତିମୟ କରି ଦେଇଥାଏ। ବଲାଙ୍ଗୀର ଠାରୁ ହରିଶଙ୍କର ୮୩ କିଲୋମିଟର ଦୂରରେ ରହିଛି। ପାଟଣାଗଡ଼ ସହର ଠାରୁ ୪୩ କିଲୋମିଟର ଦୂରରେ ଏହାର ଅବସ୍ଥିତି। ସଡ଼କପଥରେ ବଲାଙ୍ଗୀରରୁ ଆସିଲେ ପାଟଣାଗଡ଼ ଦେଇ ଯିବାକୁ ପଡ଼ିଥାଏ। ଖପ୍ରାଖୋଲରୁ ୧୩ କିଲୋମିଟର। ହରିଶଙ୍କର ଠାରୁ ନିକଟତମ ରେଳଷ୍ଟେସନ ହେଉଛି ଲାଠୋର। ଏଠାରୁ ହରିଶଙ୍କରକୁ ୩୩ କିଲେ ମିଟର ପଡିଥାଏ। ନିୟମିତ ଗାଡ଼ି ଚଳାଚଳ ହେଉ ନଥିବା ବେଳେ ବଲାଙ୍ଗୀର ଠାରୁ ଶୁକ୍ରବାର, ଶନିବାର ଓ ରବିବାର ଏକ ଗାଡ଼ି ଯାଇଥାଏ। ଅନ୍ୟ ସମୟରେ ବ୍ୟକ୍ତିଗତ ସୁବିଧାରେ ଏହି ସ୍ଥାନକୁ ପହଞ୍ଚିବାକୁ ପଡ଼ିଥାଏ।
କନ୍ଧ ଆଦିବାସୀ ସମ୍ପ୍ରଦାୟର ପୂଜାରୀ
ଶିବ ମନ୍ଦିରଗୁଡ଼ିକରେ ମାଳି ସମ୍ପ୍ରଦାୟର ଲୋକେ ପୂଜା କରନ୍ତି। ଏଠାରେ କିନ୍ତୁ ଭିନ୍ନ ପରଂପରା। କନ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକେ ଭଗବାନ ହରିଶଙ୍କରଙ୍କୁ ପୂଜା କରନ୍ତି। କାରଣ ସେମାନେ ଭଗବାନ ଶିବଙ୍କୁ (ଶିବଲିଙ୍ଗ) ଠାବ କରିଥିଲେ। ବହୁ ପୂରାତନ ଯୁଗରୁ ଶିବଲିଙ୍ଗ ଠାବ କରି ପୂଜାର୍ଚ୍ଚନା କି ଆସୁଛନ୍ତି। କନ୍ଧ ବୁଢ଼ା ସହଦେବ ଭୁଏଙ୍କ ବଂଶଧରମାନେ ବର୍ତ୍ତମାନ ପୂଜା କରୁଛନ୍ତି। ତତ୍କାଳୀନ ରାଜା ସେମାନଙ୍କୁ ପୂଜାରୀ ଆଖ୍ୟା ଦେଇଥିବାରୁ ବର୍ତ୍ତମାନ ସେମାନେ ପୂଜାରୀ ଲେଖୁଛନ୍ତି।
ପ୍ରକୃତି ଭିତରେ ପରିପୂର୍ଣ୍ଣ ଝରଣା
ଗନ୍ଧମାର୍ଦ୍ଦନ ପାହାଡ଼ରେ ୩୨ଟି ଝରଣା ରହିଛି। ହରିଶଙ୍କର ପଟକୁ ଯେଉଁ ସବୁ ଝରଣା ଆସିଛି ତାହା ଶୁକତେଲ ନଦୀରେ ଓ ନୃସିଂହନାଥପଟକୁ ଯେଉଁ ଝରଣା ଯାଇଛି ତାହା ଅଙ୍ଗ ନଦୀରେ ପରିଣତ ହୋଇଛି। କୁହାଯାଇଥାଏ ଯେ, ରାଜା ଭାଗୀରଥିଙ୍କ ତପସ୍ୟା ବଳରେ ମାତା ଗଙ୍ଗାଙ୍କୁ ମର୍ତ୍ତ୍ଯକୁ ଆଣି ସପ୍ତ ପୁରୁଷକୁ ଉଦ୍ଧାର କକିଥିଲେ। ସେତେବେଳେ ଗୋଟିଏ ଧାର ପାତାଳଗାମୀ ହୋଇଥିଲେ। ଭଗବାନ ରାମଚନ୍ଦ୍ର ଏ କଥା ଜାଣିପାରି ମାତା ଗଙ୍ଗାଙ୍କୁ ସ୍ମରଣ କରିବାରୁ ଗନ୍ଧମାର୍ଦ୍ଦନ ପାହାଡରୁ ୩୨ ଗୋଟି ଝରଣା ରୂପରେ ବାହାରି ଥିବା ଜଣାଯାଏ। ୩୨ ଗୋଟି ଝରଣା ମଧ୍ୟରୁ ୨ଟି ପ୍ରମୁଖ ଅଟେ। ନୃସିଂହନାଥ ପାଦେଦଶକୁ ଥିବା ଝରଣାକୁ ଗୁପ୍ତେଶ୍ବରୀ ଗଙ୍ଗା ଓ ହରିଶଙ୍କର ପାଦଦେଶରେ ଥିବା ଝରଣାକୁ ତ୍ରିକୁଟେଶ୍ବରୀ ଗଙ୍ଗା ନାମରେ ନାମିତ ବୋଲି ଜଣାପଡ଼େ।
Harishankar