ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ତଥା ରେଞ୍ଜ ଅଧୀନ ଜାମଶୁଳୀ ଠାରେ ଧାନଫସଲକୁ ହାତୀପଲ ଦାଉରୁ ରକ୍ଷା କରିବାକୁ ବିଛାଯାଇଥିବା ବିଦ୍ୟୁତତାର ଆଘାତରେ ଗୁରୁବାର ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଗଜସାଥୀ ସମେତ ମୋଟ ୩ଜଣ ଅଭିଯୁକ୍ତକୁ ଗିରଫକରି ଶୁକ୍ରବାର କୋର୍ଟଚାଲାଣ କରିଛି ବନବିଭାଗl ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବନବିଭାଗରେ ୨ବର୍ଷଧରି ଗଜସାଥୀ ଭାବେ କାମ କରିଥିବା ସ୍ୱର୍ଗତ ନିରଞ୍ଜନ ମହାନ୍ତଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୩୮), ଗ୍ରାମର ସ୍ୱର୍ଗତ ଲାଙ୍ଗ ମୁର୍ମୁର ପୁଅ ଦୁଃଖୀଆ ମୁର୍ମୁ(୪୪) ଏବଂ ବାହାଦୂର ହେମ୍ବ୍ରମର ପୁଅ ସୁନ୍ଦର ହେମ୍ବ୍ରମ(୩୫)l
ଗିରଫ ସମସ୍ତ ଅଭିଯୁକ୍ତ ଜାମଶୂଳୀ ଗ୍ରାମର ହୋଇଥିବା ବେଳେ ଏହି ଘଟଣାରେ ଏକକିଲୋମିଟର ଦୂରତା ପର୍ଯ୍ୟନ୍ତ ପୋତାଯାଇଥିବା ଶତାଧିକ ଖୁଣ୍ଟ ଏବଂ ଏଥିରେ ବନ୍ଧାଯାଇଥିବା ଜିଆଇ ତାରକୁ ଜବତ କରିଛି ବନବିଭାଗ। ଶୁକ୍ରବାର ପୂର୍ବାହ୍ନରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚି ଗିରଫ ଅଭିଯୁକ୍ତମାନଙ୍କୁ ପଚରା ଉଚରା କରିଥିଲେ ଏସିଏଫ ରବିନାରାୟଣ ମହାନ୍ତି।
ରେଞ୍ଜର ମନୁୱର ଖାଁ, ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ବଡାମପୁର ବନପାଳ ଦୀପକ କୁମାର ପାତ୍ର ପ୍ରମୁଖ ଶୁକ୍ରବାର ଦିନତମାମ ଗିରଫ ଅଭିଯୁକ୍ତମାନଙ୍କୁ ଜେରା ଚଳାଇଥିବା ବେଳେ ଅପରାହ୍ନରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବା ନେଇ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/5DRXeDGrU6SR0lmeL4Xs.jpeg)