ଜଗତସିଂହପୁର: ଯିବଆସିବା ସମୟରେ ବାଟ ଚଲାଇ ଦେଉ ନ ଥିଲେ। କମେଣ୍ଟ ମାରିବା ସହ ଅସଦାଚରଣ କରୁଥିଲେ। ଦୁଷ୍କର୍ମ କରିବାର ଖୋଲାଖୋଲି ଧମକ ଦେଉଥିଲେ। ଦୁଷ୍କର୍ମ କରିବା ପାଇଁ କୋଟିଏ ଟଙ୍କା ଯାଚୁଥିଲେ। ଏପରିକି ଏସିଡ୍ ପକାଇ ଜାଳିଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଏମିତି ଆଲୋଡ଼ନ ସୃଷ୍ଟି କଲା ଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ୍ ଥାନା ବିଶ୍ବାଳି ଅଞ୍ଚଳରେ। ଏ ନେଇ ଥାନାରେ ଏତଲା ହେବା ପରେ ପୁଲିସ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ସମସ୍ତ ଛାତ୍ରୀ ବିଶ୍ବାଳି ଅଞ୍ଚଳର। ସେମାନେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଟ୍ୟୁସନ୍ ଓ ସ୍କୁଲ ଯିବା ଆସିବା କରିବା ରାସ୍ତାରେ ତିନି ଜଣ ଯୁବକ ସେମାନଙ୍କୁ ପିଛା କରି ରାଜରାସ୍ତାରେ ହଇରାଣ ହରକତ କରନ୍ତି। ଏହା ନିତିଦିନିଆ ଘଟଣା ପାଲଟି ଯାଇଥିଲା। କିନ୍ତୁ ଗତକାଲି ଅଭିଯୁକ୍ତମାନେ ସବୁ ସୀମା ଟପି ଯାଇଥିଲେ। କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ ବୋଲି ଜଣେ ଛାତ୍ରୀ ଲକ୍ ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି।
ଦୁଷ୍କର୍ମ କରିବାର ଧମକ ଦେଇଥିଲେ। କୋଟିଏ ଟଙ୍କା ଦେଇ ସମସ୍ତ ୮ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବେ ବୋଲି ଅଭିଯୁକ୍ତମାନେ କହିଥିବା ଛାତ୍ରୀ ଜଣଙ୍କଏତଲାରେ ଉଲ୍ଲେଖ କରିଛନ୍ତି। ସେହିପରି ଏସିଡ୍ ପକାଇ ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତମାନଙ୍କର ଏଭଳି କାଣ୍ଡରେ ଛାତ୍ରୀମାନେ ଅତିଷ୍ଠ ହେବା ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ଲକ୍ ଥାନା ପୁଲିସ ମାମଲା ରୁଜୁ କରିବା ସହ ୩ ଯୁବକଙ୍କୁ ଉଠାଇ ଆଣିଛି। ତିନି ଜଣଙ୍କ ବୟସ ୧୯ ବର୍ଷ ବୋଲି ଏତଲାରେ ଲେଖା ଥିବା ବେଳେ ସେମାନେ ନାବାଳକ ହୋଇଥିବା ପୁଲିସ ସନ୍ଦେହ କରୁଛନ୍ତି। ସେମାନଙ୍କର ମାଟ୍ରିକ ସାର୍ଟିଫିକେଟ୍ ଓ ଆଧାର କାର୍ଡ ଯାଞ୍ଚ କରାଯିବା ପରେ ପ୍ରକୃତ ବୟସ ଜଣାପଡ଼ିବ ବୋଲି ପୁଲିସ କହିଛି। ତେଣୁ ସେମାନଙ୍କ ନାଁ ଏବେ ସୁଦ୍ଧା ଗୋପନ ରଖିଛି ପୁଲିସ। ରବିବାର ସ୍ପଷ୍ଟ ହେବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/23/paradip-police-2025-08-23-19-24-29.jpg)