ବାରିପଦା/ଶୁଳିଆପଦା: ଦ୍ରୁତଗତି, ମହା ବିପତ୍ତି। ଏଭଳି ଖବର ମୟୂରଭଂଜ ଜିଲ୍ଲା ସୁଲିଆପଦା ବ୍ଲକ ସିଙ୍ଗଡ଼ା ଅଞ୍ଚଳରୁ ଆସିଛି। ଭୀମମେଳା ଘଟ ଉତ୍ତୋଳନରୁ ଫେରିବା ବେଳେ ୩ ଜଣ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାରସାମ୍ୟ ହରାଇ ଡିମିଆ ନିକଟରେ ଗଛରେ ଧକ୍କା ଖାଇ ସମୋନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିଜନ ଦେଓ, ରବୀନ୍ଦ୍ର ଦେଓ ଓ ବାଦଲ ନାଏକ।
ସୂଚନା ଅନୁସାରେ ଭୌମୀ ଅମାବାସ୍ୟା ଉପଲକ୍ଷେ ଶୁଳିଆପଦା ବ୍ଲକ ସିଙ୍ଗଡା ଗ୍ରାମରେ ଭୀମ ମେଳା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମରୁ ଏହି ମେଳା ଦେଖିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଶୁଳିଆପଦା ବ୍ଲକ୍ କୁଜିଡିହି ପଞ୍ଚାୟତ ଅଧୀନ ଧାତିକା ଗ୍ରାମର ରଞ୍ଜିତ ଦେଓଙ୍କ ପୁଅ ବିଜନ ଦେଓ, କାମେଶ୍ବର ଦେଓଙ୍କ ପୁଅ ରବୀନ୍ଦ୍ର ଦେଓ ଓ ସନାତନ ନାଏକଙ୍କ ପୁଅ ବାଦଲ ନାଏକ ସାଙ୍ଗ ହୋଇ ଏକ ବାଇକ୍ ଯୋଗେ ଭୀମମେଳା ଘଟତ୍ତୋଳନ ଦେଖିବାକୁ ଆସିଥିଲେ। ଘଟତ୍ତୋଳନ ଦେଖି ଘରକୁ ଫେରୁଥିବା ବେଳେ ଡିମିଆ ଗ୍ରାମଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛ ସହିତ ଧକ୍କା ହୋଇଥିଲା। ଏତେ ଜୋରରେ ଧକ୍କା ହୋଇଥିଲାଯେ ବାଇକ୍ଟି ୨ ଖଣ୍ଡ ହୋଇ ଯାଇଥିଲା। ବାଇକ୍ଷର ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଡିମିଆ ନିକଟରେ ଗଛରେ ଧକ୍କା ପରେ ଦୁର୍ଘଟଣାଗ୍ରସ୍ତ ବାଇକ୍ର ଫଟୋକୁ ଦେଖିଲେ ଜଣାପଡୁଛି ଘଟଣା ବେଳର ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ଫଳରେ ବାଇକ୍ଟି ଭାଙ୍ଗି ଚୁରମାର ହୋଇଯାଇଥିଲା।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବଲାନ୍ସ ପହଞ୍ଚି ଥିଲା। ସେତେବେଳକୁ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଶୁଳିଆପଦା ଆଇଆଇସି ଆଦିତ୍ଯ ପ୍ରସାଦ ଜେନା ଓ ଏଏସଆଇ ରସାନନ୍ଦ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ପଠାଯିବ। ଭୀମମେଳା ପାଇଁ ସବୁଆଡେ ଉତ୍ସାହର ମାହଲ ଲାଗିରହିଥିବା ବେଳେ ହଠାତ ଏଭଳି ଦୁଃଖଦ ଖବର ଶୋକର ଛାୟା ଖେଳାଇଦେଇଥିଲା।