ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରୀଗୁଡା ଗ୍ରାମର ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟିହୀନ ଥିବା ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା କରିବା ପାଇଁ ଦାବି ହୋଇଛି।
ଫୁପୁଗାଁ ଗ୍ରାମର ଅର୍ଜୁନ ସାନ୍ତା ଗ୍ରାମରେ ମିସ୍ତ୍ରୀ କାମ କରୁଥିବା ବେଳେ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀ ମିନ୍ଦାଏ ସାନ୍ତା ପରିବାରର ପାଞ୍ଚ ଜଣ ପିଲା ଛୁଆଙ୍କ ଯତ୍ନ ନେବା ପର ଠାରୁ ଆଉ କାମ କରିବା ପାଇଁ ଯାଉନଥିବା କହିଛନ୍ତି। ଅର୍ଜୁନ ସାନ୍ତାଙ୍କ ଚାରି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଏଥିରୁ ତିନି ଜଣ ଝିଅ ଦୃଷ୍ଟିହୀନ ଥିବା କହିଛନ୍ତି। ବଡ଼ ଝିଅ ଜେମା ସାନ୍ତା(୧୨) ଜନ୍ମରୁ ଦେଖି ପାରୁନାହିଁ। ମଝିଆ ଝିଅ ତିଳତମା ସାନ୍ତା(୯) ଜନ୍ମରୁ ଆଖି ଦୁଇଟି ଠିକ ଥିଲା। ତେବେ ଗତ ତିନି ବର୍ଷ ତଳେ ହଠାତ ଦୁଇଟି ଆଖିରୁ ପାଣି ବାହାରିବା ସହ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା।
ସଚେତନତା ଅଭାବ ସହ ଆର୍ଥିକ ସ୍ୱଚଳ ନଥିବା ଯୋଗୁଁ ଉନ୍ନତ ଚିକିତ୍ସା କରିପାରିନଥିଲେ। ଫଳରେ ତିଳତମାର ବାମ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଡାହାଣ ଆଖି ଅଳ୍ପ ଦେଖା ଯାଉଛି। ବର୍ତ୍ତମାନ ତିଳତମା ଉମରକୋଟ ମୁକ ବଧିର ସ୍କୁଲରେ ରହୁଥିବା ପରିବାର ଲୋକ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଉନ୍ନତ ଚିକିତ୍ସା କଲେ ଡାହାଣ ଆଖିରେ ସ୍ପଷ୍ଟ ଦେଖି ପାରିବ ବୋଲି ପରିବାର ଲୋକ କହିଛନ୍ତି।
ସେହିପରି ସବା ସାନ ଝିଅ ମମତା ସାନ୍ତା(୩) ଜନ୍ମରୁ ଦେଖି ପାରୁନାହିଁ। ଫଳରେ ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟିହୀନ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହାୟତା ଯୋଗାଇ ଦିଆଯାଉନଥିବା ପରିବାର ଲୋକ କହିଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ହୀନ ତିନି ଝିଅଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/25/eaGgYGO761HFKPW5hrb8.jpeg)