ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ବଡ଼ଧରଣର ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୁଲିସl ସେମାନେ ବୈଶିଙ୍ଗା ଅଞ୍ଚଳରେ ମାରଣାସ୍ତ୍ର ସହିତ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ୩ ଅନ୍ତଃଜିଲା ଡକାୟତଙ୍କୁ ଘଟଣାସ୍ଥଳରୁ ପୁଲିସ ଗିରଫ ହୋଇଥିବା ବେଳେ ଅନ୍ୟ ୩ଜଣ ଏବେବି ଫେରାର ଅଛନ୍ତି l ସେମାନଙ୍କ ନିକଟରୁ ପୁଲିସ ଖଣ୍ଡା, କଟୁରୀ, ଲୁହାରଡ଼ ସମେତ ଗୋଟେ ବାଇକ ଓ କାର ଜବତ କରିଛି l ୩ ଦୁର୍ବୃତ୍ତ ହେଲେ ବାଲେଶ୍ୱର ସଦର ଥାନା ଅଧୀନ ଫୁଲାଡ଼ି ଉପକଣ୍ଠ ନଗରମ ଅଞ୍ଚଳର ଅଶୋକ ପରିଡାଙ୍କ ପୁଅ କରନ, ତୁନଜ ବିଶ୍ୱାଳଙ୍କ ପୁଅ ସମ୍ବିତ ଓ ଅନ୍ୟଜଣେ ବୈଶିଙ୍ଗା ଥାନା ଅଧୀନ ଯୁଗପୁରା ଅଞ୍ଚଳର ଦେବୁ ଔରଫ ମହେଶ୍ୱର ଦାସ l
ଗତକାଲି ସନ୍ଧ୍ୟାରେ ବୈଶିଙ୍ଗା ବଜାରସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କିଛି ଯୁବକ ମାରଣାସ୍ତ୍ର ସହିତ ସନ୍ଦେହଜନକ ଭାବେ କିଛି ଯୋଜନା କରୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେl
ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ନିର୍ଦେଶ କ୍ରମେ ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ, ବୋଇତ ବେହେରା, ଏସଆଇ ଶୁଭ୍ରାଂଶୁ ରାଉଳ ପ୍ରମୁଖ ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେl ପୁଲିସ ଭ୍ୟାନକୁ ଦେଖି ଦୁର୍ବୃତ୍ତମାନେ ବାଇକ ଓ କାର ଯୋଗେ ଖସି ଯିବାକୁ ବସିଥିବାବେଳେ ପୁଲିସ ପିଛା କରି ରଙ୍ଗାମାଟିଆ ଛକ ନିକଟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ କରନ ଓ ସମ୍ବିତ ଭଳିଆ ୨ ପେଶାଗତ ଡକାୟତଙ୍କୁ କାବୁ କରିନେଇଥିଲେl
ତେବେ ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ତାଙ୍କ ନିକଟରୁ ଖଣ୍ଡା, ତେଲେଙ୍ଗା କଟୁରୀ, ଲୁହା ରଡ଼, ଠେଙ୍ଗା, ସାଇକେଲ ଚେନ ଭଳିଆ ମାରଣାସ୍ତ୍ର ସହିତ ମାସ୍କ, ଗୋଟେ ରେସିଂ ବାଇକ (ନଂ ଓଡି୦୧ବିଏ-୬୧୨୭) ଓ ୨ଟି ମୋବାଇଲ ଜବତ କରିଥିଲା ପୁଲିସ l ରାତିରେ ସେମାନଙ୍କୁ ପଚରା ଉଚରା କରିବାରୁ ସେମାନେ ସ୍ୱୀକାର କରିଥିଲେ କି ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅନ୍ୟ ୩ଜଣ ସାମିଲ ଥିଲେl ଯେଉଁମାନେ ଯୋଜନା କରି ସେମାନଙ୍କୁ ଡକାଇଥିଲେ ଓ ପଦ୍ମନାଭପୁର ଟୋଲ ଗେଟ କାର୍ଯ୍ୟାଳୟରେ ଡକାୟତି କରିବା ପାଇଁ ପ୍ରବାର୍ତ୍ତାଇ ଥିଲେl
ସମ୍ବିତ ଓ କରନ ଠାରୁ ସୂଚନା ପାଇ ପୁଲିସ ରାତିରେ ଯୁଗପୁରା ଅଞ୍ଚଳରେ ଚଢ଼ାଉ କରି ଦେବୁକୁ ଗିରଫ କରିବା ସହିତ ଘଟଣାରେ ବ୍ୟବହୃତ ଓଡି୦୧ବିବି-୬୦୮୧ନଂ ବିଶିଷ୍ଟ ଏକ ଧଳା ରଙ୍ଗର ନେକ୍ସନ କାର ଜବତ କରିଥିଲାl ତେବେ ସମ୍ବିତ, କରନ ଓ ଦେବୁକୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ଅଞ୍ଚଳର ଅନ୍ୟ ୨ ଜଣ ଦୁର୍ବୁତ୍ତ ଏବେବି ଫେରାର ଥିବାବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀଦାସ l ତେବେ ପୁଲିସ ସୂଚନା ଅନୁଯାଇ ସମ୍ବିତ ଓ କରନ ପେଶାଗତ ଅପରାଧୀ ହୋଇଥିବାବେଳେ ଏଇ ମାତ୍ର ଅଳ୍ପଦିନ ପୁର୍ବରୁ ଜେଲରୁ ମୁକୁଳିଛନ୍ତିl
Crime | Mayurbhanj