ଆସିକା: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣାବୋରି ଗ୍ରାମର ବୁଲୁ ବିଷୋୟୀ ହତ୍ୟା ମାମଲାର ବିଚାର କରି ଆସିକା ଅତିରିକ୍ତ ଜିଲା ଓ ଦୌରାଜର୍ଜ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ଖଦାଳ ପ୍ରଧାନ, ପୁଅ ବାବୁ ପ୍ରଧାନ ଓ ଝିଅ ଟିକି ଓରଫ ବ୍ରହ୍ମାକୁମାରୀ ପ୍ରଧାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଦଶ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଆନାଦେୟରେ ଚାରି ମାସ ଅତିରିକ୍ତ କାରାଦଣ୍ଡ ଶୁଣାଇଛନ୍ତି।

Advertisment

ମାମଲାର ବିବରଣୀରୁ ଜଣାଯାଏ ୨୦୧୧ ମାର୍ଚ୍ଚ ୧୫ତାରିଖ ଦିନ ଗ୍ରାମର ନାମ ସଂକୀର୍ତ୍ତନ ଚାଲିଥିଲା। ବୁଲୁ ନିଜ ଘରକୁ ଫେରିବା ବେଳେ ଖଦାଳ ପ୍ରଧାନ ତାର ପୁଅ ବାବୁ ପ୍ରଧାନ, ସୁଗ୍ରୀବ ପ୍ରଧାନ ଓ ଝିଅ ଟିକି ଓରଫ ବ୍ରହ୍ମାକୁମାରୀ ପ୍ରଧାନ, ଜ୍ୱାଇଁ ଗୋପୀନାଥ ସ୍ଵାଇଁ ସଙ୍ଘବଦ୍ଧ ହୋଇ ବୁଲୁ ବିଷୋୟୀଙ୍କୁ କାତି ଫାର୍ସା ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ରକ୍ତାକ୍ତ ବୁଲୁଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବୁଲୁ ବିଷୋୟୀଙ୍କୁ ଗାଁଦାଣ୍ଡରେ ହତ୍ୟା କରିବା ନେଇ ତାଙ୍କର ଦାଦା ନରସିଂହ ବିଷୋୟୀ ଥାନାରେ ଅଭିଯୋଗ ପରେ ଥାନାରେ ଏକ ହତ୍ୟା ମାମଲା ୨୬/୧୧ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ତଦନ୍ତ କରି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଖଦାଳ ପ୍ରଧାନ ତାର ପୁଅ ବାବୁ ପ୍ରଧାନ, ସୁଗ୍ରୀବ ପ୍ରଧାନ ଓ ଝିଅ ଟିକି ଓରଫ ବ୍ରହ୍ମାକୁମାରୀ ପ୍ରଧାନ, ଜ୍ୱାଇଁ ଗୋପୀନାଥ ସ୍ଵାଇଁ ସଙ୍ଘବଦ୍ଧ ହୋଇ ବୁଲୁ ବିଷୋୟୀଙ୍କୁ କାତି ଫାର୍ସା ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ।

ଏହି ମାମଲା ଆସିକା ଏଡିଜେ କୋର୍ଟରେ ଏସଟି ୯୪/୧୩ରେ ବିଚାରଣ ଆରମ୍ଭ ହୋଇଥିଲା। ଦୀର୍ଘ ୧୩ ବର୍ଷ ପରେ ଏହି ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଅଲଗା ବିଚାରଣ ଚାଲିଛି।  ତଦନ୍ତକାରୀ ଅଧିକାରୀ ପ୍ରଦୀପ କୁମାର ବର୍ଲା ଓ ଅଜୟ କୁମାର ବାରିକଙ୍କ ସହିତ ୧୩ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଆଜି ଏହି ହତ୍ୟା ମାମଲାର ଦଣ୍ଡ ବିଧାନ ହୋଇଛି। ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ଜି ସୂର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରୁଥିଲେ।