ଅନୁଗୁଳ: ସଦର ଥାନା ଖଣ୍ଡହତା ନିକଟରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ଏକ ଦ୍ରୁତଗାମୀ କାର୍ ମାଡ଼ି ଯାଇଛି, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଅଟୋ ଚାଳକ ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ। ସୁନୀତା ସେଠୀ ଓ ୧୨ ବର୍ଷର ପୁଅ ଗୁରୁତର ଅଛନ୍ତି। ଏମାନେ ସମସ୍ତେ ଢେଙ୍କାନାଳଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅଧୀନ ରାସୋଳ ଥାନା କାରନ୍ଦା ଗାଁର ଲୋକ ବୋଲି ଜଣାପଡ଼ିଛି।
ପୁଲିସ କହିଛି, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କରନ୍ଦା ଗାଁର ବଂଶୀଧର, କମଳା, ସୁନୀତା ଓ ନାବାଳକ ଆଜି କୌଣସି କାମରେ ଅନୁଗୁଳକୁ ଏକ ଅଟୋରେ ଆସିଥିଲେ। କାମ ସାରି ଆଜି ଅପରାହ୍ଣରେ ଘରକୁ ଫେରୁଥିଲେ। ଦିନ ପ୍ରାୟ ଅଢ଼େଇଟାରେ ସଦର ଥାନା ଖଣ୍ଡହତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା। ଅଟୋ ଆରୋହୀମାନଙ୍କୁ କାର୍ ଧକ୍କା ଦେଲା ପରେ ଉଭୟ ଗାଡ଼ି ପାଣିକୁ ଖସି ପଡ଼ିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ ମୃତ ଘୋଷଣା କରିଛନ୍ତି।
ରିପୋର୍ଟ ଲେଖାଯିବା ବେଳକୁ ସୁନୀତା ସେଠୀ ଓ ୧୨ ବର୍ଷର ନାବାଳକଙ୍କ ଚିକିତ୍ସା ଜାରି ରହିଛି। କାର ଚାଳକ ଫେରାର ଅଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
angul | Accident