ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଗତ ସୋମବାର ଭୋର ସକାଳୁ ବେତନଟୀ ଅଞ୍ଚଳର ଜନୈକ ଯୁବକ ଆଶୁତୋଷ ଔରଫ ବୁଡୁ(୩୮)ଙ୍କ କ୍ଷତାକ୍ତ ମୃତଦେହ ମିଳିଥିବା ବେଳେ ମୃତ୍ୟୁର କାରଣ ଏବେବି ସନ୍ଦେହ ଘେରରେ ରହିଛି। ତେବେ ଉକ୍ତ ଯୁବକଙ୍କ ମୃତ୍ୟୁ ମାମଲାରେ ଜଡିତ ବେତନଟୀ ଅଞ୍ଚଳର ୩ସନ୍ଦିଗ୍ଧ ଯୁବକଙ୍କୁ ୨ଦିନ ଧରି ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ବୁଧବାର ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି।
ବେତନଟୀରେ ରବିବାର ଦିନ ଦଶହରା ତଥା ରାବଣ ପୋଡି ମହାଆଡମ୍ବରରେ ପାଳନ କରାଯାଇଥିବା ବେଳେ ବୁଡୁ ଓ ଅନ୍ୟ ଯୁବକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥାନୀୟ ବଜାରରେ ବୁଲାବୁଲି କରିବା ସହିତ ବସଷ୍ଟାଣ୍ଡସ୍ଥିତ ପୂଜା ମଣ୍ଡପ ନିକଟରେ ବସିଥିଲେl ପରେ ସେଠାରେ ବେତନଟୀ ଅଞ୍ଚଳର ଯୋଶବନ୍ତ ବେହେରା ଓରଫ ଚିନା ଏବଂ ତାଙ୍କର ୨ସାଙ୍ଗ ହରିଶଙ୍କର ତ୍ରିପାଠୀ ଓ ଆନିର୍ବାଣ ଵାଲା ଏକ କାର ଯୋଗେ ପହଞ୍ଚିଥିଲେl ସେମାନେ ସେଠାରୁ ବୁଡୁକୁ କାରରେ ବସେଇ ଜାତୀୟ ରାଜପଥରେ ବୈଶିଙ୍ଗା ପଟକୁ ଆସି ରାତି ପ୍ରାୟ ୧ଟା ସମୟରେ ଆଗ୍ରିଆ ସ୍ଥିତ ରେଲୱେ ଓଭରବ୍ରିଜ ଉପରେ କାର ଛିଡା କରି ପ୍ରଚୁର ମଦ୍ୟପାନ କରିଥିଲେl ପ୍ରାୟ ରାତି ୩ଟା ପରେ ସେମାନେ ୪ସାଙ୍ଗ ପୁଣି ଥରେ କାରରେ ବସି ବୈଶିଙ୍ଗା ପଟକୁ ଆସିଥିଲେl ହେଲେ ରାସ୍ତାରେ ନିଶାସକ୍ତ ବୁଡୁ ଓ ଚିନାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ଓ ପରେ ବୈଶିଙ୍ଗା ଉପକଣ୍ଠ ଜାରକା ଛକ ପୂର୍ବରୁ ଅଜାଡ଼ିହ ନିକଟରେ ଚିନା କାର ଛିଡା କରି ପରିସ୍ରା କରିବାକୁ ଯିବାପାଇଁ ଓହ୍ଲାଉଥିବାବେଳେ ନିଶାଶକ୍ତ ବୁଡୁ କାରରୁ ଓହ୍ଲାଇ ଡାଇଭର୍ସନ ଅତିକ୍ରମ କରି ରାସ୍ତାର ବିପରୀତ ପଟକୁ ପଳେଇ ଯାଇଥିଲା। ହେଲେ ଚିନା, ହରିଶଙ୍କର ଓ ଆନିର୍ବାଣ ସେଠାରେ ଆଉ ନଅଟକି ଵୁଡୁ ଜାତୀୟ ରାଜପଥ ଉପରେ ଏକୁଟିଆ ଛାଡିଦେଇ ବେତନଟୀକୁ ଫେରିଯାଇଥିଲେl
ତେବେ ଭୋର ପ୍ରାୟ ୪ଟାରେ ବୁଡୁ ନିଜ ମା’ ଓ ଭଉଣୀଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିବା ବେଳେ ପ୍ରାୟ ସାଢ଼େ ୪ଟାରେ ତାଙ୍କ ମୃତ୍ୟୁ ଖବର ପରିବାର ବର୍ଗଙ୍କୁ ମିଳିଥିଲାl ସ୍ଥାନୀୟ ଲୋକ ଓ ବୈଶିଙ୍ଗା ପୁଲିସ ମୃତଦେହ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିବାବେଳେ ପରେ ପୁଲିସ ଶବ ବ୍ୟବଛେଦ କରାଇ ମୃତ ଶରୀରକୁ ଵୁଡୁର ପରିବାରକୁ ହସ୍ତାନ୍ତର କରିଥିଲା। ପରେ ମୃତ ଵୁଡୁର ସ୍ତ୍ରୀ ଅନ୍ନପୂର୍ଣ୍ଣା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ କି ବିଳମ୍ବିତ ରାତିରେ ଵୁଡୁଙ୍କର ତାଙ୍କ ସାଙ୍ଗମାନଙ୍କ ସହିତ ଝଗଡା ହୋଇଥିଲା ଓ ପରେ ଵୁଡୁର କ୍ଷତାକ୍ତ ମୃତଦେହ ରାଜପଥ ଉପରୁ ମିଳିଥିଲାl ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଥିଲେl
ଲିଖିତ ଅଭିଯୋଗ ପାଇବା ପରେ ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ କରି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦେଶକ୍ରମେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଓ ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲେl
ଘଟଣାର ତଦନ୍ତ ପୂର୍ବକ ତୁରନ୍ତ ବୁଡୁ ସହିତ ସେହି ରାତିରେ ମଦ୍ୟପାନ କରିଥିବା ଓ ତାକୁ ରାସ୍ତା ମଝିରେ ଛାଡି ଦେଇ ଆସିଥିବା ୩ସାଙ୍ଗ ଚିନା, ହରିଶଙ୍କର ଓ ଆନିର୍ବାଣକୁ ଉଠାଇନେବା ସହିତ ତାଙ୍କ ବ୍ୟବହୃତ କାରକୁ ଜବତ କରିଥିଲେ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ଓ ପରେ ବୈଶିଙ୍ଗା ପୁଲିସକୁ ହସ୍ତାନ୍ତର କରିଥିଲେl
ତେବେ ଦୁଇ ଦିନ ଧରି ବୈଶିଙ୍ଗା ଥାନାରେ ୩ଜଣଙ୍କୁ ମାରାଥନ ଜେରା କରିଥିଲେ ଏସଡିପିଓ ଶ୍ରୀ ଦାଶ ଓ ଥାନା ଅଧିକାରୀ ଶ୍ରୀ ପ୍ରଧାନl ପରେ ସେମାନେ ସ୍ପଷ୍ଟ ହୋଇଥିଲେ କି ପ୍ରତକ୍ଷ୍ୟ ଭାବେ ନହୋଇଥିଲେ ବି ପରୋକ୍ଷ ଭାବେ ବୁଡୁ ମୃତ୍ୟୁ ପାଇଁ ଦାୟୀ ହେଲେ ତାର ୩ସାଙ୍ଗl ଯୋଉଁଥିପାଇଁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ବୁଧବାର ୧୦୫ବିଏନସି ଆଇନ ବଳରେ ଚିନା, ହରିଶଙ୍କର ଓ ଆନିର୍ବାଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛିl ମୃତ୍ୟୁର କାରଣ ଦୁର୍ଘଟଣା ଜନିତ ହୋଇଥିବାନେଇ ବିଭିନ୍ନ ସୁରାକ ମିଳିଥିଲେ ବି ଏନେଇ ଏବେବି ସ୍ପଷ୍ଟ ସୂଚନା ପୁଲିସ ଦେଇନାହିଁ। ତେବେ ଆଗକୁ ଆହୁରି ତଦନ୍ତକୁ ବ୍ୟାପକ କରାଯିବା ସହିତ ଵୁଡୁ ମୃତ୍ୟୁର ସଠିକ କାରଣକୁ ଖୁବଶୀଘ୍ର ଲୋକଲୋଚନକୁ ଅଣାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/16/ZUJe8febtMr7o7gwQHgS.jpeg)