ବିଂଝାରପୁର: ଦୀର୍ଘଦିନ ଧରି ଟାୱାର ଯନ୍ତ୍ରାଂଶ ଚୋରି ଚଳାଇଥିବା ଏକ ରାକେଟକୁ ଶୁକ୍ରବାର ବିଳମ୍ବିତ ରାତିରେ ଠାବ କରାଯାଇଛି। ସମ୍ପୃକ୍ତ ରାକେଟ ଯାଜପୁରଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳ ବୋଲି ଜଣାପଡ଼ିଛି। ବିଂଝାରପୁର ସମେତ ଦଶରଥପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ରିଲାଏନ୍ସ ନେଟୱର୍କର ଜିଓ ଟାୱାରକୁ ଏହି ରାକେଟ ଟାର୍ଗେଟ କରିଥିଲେ। ବିଶେଷ କରି ନେଟୱର୍କ ଠିକ ଭାବେ ଆସିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶଗୁଡ଼ିକୁ ଏହି ରାକେଟ ଚୋରି କରିନେଉଥିଲେ।
ତେବେ ନେଟୱର୍କ ସମ୍ବନ୍ଧୀୟ ସମସ୍ୟା ନେଇ ଗ୍ରାହକଙ୍କ ଠାରୁ ବାରମ୍ବାର ଅଭିଯୋଗ ପାଇବାପରେ କମ୍ପାନିର ଏକ ଟିମ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖି ସତ ଜାଣିବାକୁ ଚାହିଁଥିଲେ। କମ୍ପାନିର ଲୋକ ରାତିରେ ପେଟ୍ରୋଲିଂ କରିବାସହ ବିଭିନ୍ନ ଟାୱାର ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଗତକାଲି ରାତିରେ କମ୍ପାନି ଲୋକ ପେଟ୍ରୋଲିଂ କରୁଥିବାବେଳେ ବିଂଝାରପୁର ଥାନା ତାଉନ୍ତରା ନିକଟରେ ଥିବା ଜିଓ ଟାୱାର ଉପରେ ୩ ଜଣ ଚୋର ଚଢ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ରାତିସାରା କମ୍ପାନି ଲୋକ ଟାୱାର ତଳେ ଜଗି ରହିଥିଲେ। ଚୋରମାନେ ଭୟରେ ତଳକୁ ନ ଓହ୍ଲାଇ ରାତିସାରା ଟାୱାର ଉପରେ ରହିଥିଲେ।
ବିଂଝାରପୁର ସମେତ ଦଶରଥପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ରିଲାଏନ୍ସ ନେଟୱର୍କର ଜିଓ ଟାୱାରକୁ ଏହି ରାକେଟ ଟାର୍ଗେଟ କରିଥିଲେ।
ସକାଳ ହେଲାପରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ପରେ ଗ୍ରାମବାସୀ ୩ ଚୋରଙ୍କୁ ଓହ୍ଲାଇ ସେଇ ଟାୱାରରେ ବାନ୍ଧି ନିର୍ଧୁମ ଛେଚିବାସହ ବିଂଝାରପୁର ପୁଲିସକୁ ହସ୍ତାନ୍ତର କରିଥିଲେ। ଚୋର ୩ ଜଣଙ୍କ ମଧ୍ୟରେ ବିଂଝାରପୁର ଥାନା ଅରେଇ ଗ୍ରାମର ସୁନୀଲ ପରିଡା ଓ ଇଞ୍ଜନପୁର ଗ୍ରାମର ସୀପନ ଯେନା, ମଙ୍ଗଳପୁର ଥାନା ଜାଫରପୁର ଗ୍ରାମର ଶ୍ରୀତମ ମଲିକ ବୋଲି ଜଣାଯାଇଥିବା ବେଳେ ଏହି ରାକେଟରେ ଆହୁରି ଅଧିକ ବ୍ୟକ୍ତି ସାମିଲ ଥିବା ନେଇ ଜିଓ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ୪୨୫/୨୫ ରେ ଏକ ମାମଲା ରୁଜୁ କରିବାସହ ଅଧିକ ତଦନ୍ତ ଚଳାଇଛନ୍ତି। ୩ ଲୁଟେରାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି।
Jajpur