ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ବିମାନ ଉଡ଼ିବ। ଗମନାଗମନର ବ୍ୟବସ୍ଥା ଆଉ ପାଦେ ଆଗେଇବ। ଲୋକଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ। ଜିଲ୍ଲାରେ ଆର୍ଥିକ, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ବେଶ ବିକାଶ ହେବ। ଏହି ଆଶା ନେଇ ପୂର୍ବ ରାଜ୍ୟ ସରକାର ଲୋକଙ୍କ ପାଇଁ ବିମାନବନ୍ଦର ନିର୍ମାଣ କାମ ଆରମ୍ଭ କରିଥିଲେ। ଆଉ ଗତବର୍ଷ ଜାନୁଆରି ୯ ତାରିଖରେ ଅସଂପୂର୍ଣ୍ଣ ବିମାନବନ୍ଦର ଲୋକାର୍ପଣ ହୋଇଥିଲା। ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ତିନି ଥର ପାଚେରୀ ଭୁଶୁଡ଼ି ସାରିଛି। ଏବେ ଏହାର ନିର୍ମାଣ କାର୍ଯ୍ୟର ସ୍ଥ।ୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
ଆଜି ଲଗାଣ ବର୍ଷାରେ ପୁଣି ୫୦ ମିଟରରୁ ଊର୍ଧ୍ଵ ଲମ୍ବ ପାଚେରୀ ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି। ଫଳରେ ବିମାନବନ୍ଦର ଭିତରେ ନିର୍ମାଣ ପିଚୁ ରାସ୍ତା ମଧ୍ୟ ଧୋଇଯାଇଛି। ପୂର୍ବରୁ ମଧ୍ୟ ୧୦୦ ମିଟର ପାଚେରୀ ଭୁଶୁଡ଼ି ପଡ଼ିଥିଲା ଏବଂ ଏହି ଅଘଟଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଣି ପାଚେରୀ ନିର୍ମାଣ କାର୍ଯ୍ୟ କରିଥିଲେ। ତିନି ତିନି ଥର ପାଚେରୀ ଭୁଶୁଡ଼ିଲାଣି। କିନ୍ତୁ ସରକାର ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନମାନର ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି। ନିର୍ମାଣାଧୀନ ୧୬ ସହ ମିଟର ପାଚେରୀର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ଏବେ ବର୍ଷେରୁ ଅଧିକ ଦିନ ଗଡ଼ି ଗଲାଣି। ଯଥା ପୂର୍ବମ ତଥା ପରମ। ମାଲକାନଗିରି ବିମାନବନ୍ଦର ରୋଗୀଣା ଭଳି ଶୋଇରହିଛି। ଆକାଶରେ ଉଡ଼ିବା ଲୋକଙ୍କ ଆଶା ଆଶାରେ ହିଁ ରହି ଯାଇଛି। ଗତ କିଛି ଦିନ ତଳେ ନୂତନ ଜ଼ିଲ୍ଲାପାଳ ସୋମେଶ ଉପାଧ୍ୟାୟ ବିମାନବନ୍ଦର ସ୍ଥାନକୁ ଗସ୍ତ କରିଥିଲେ ଏବଂ ଖୁବ ଶୀଘ୍ର ଏହାର କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ମାଲାକାନଗିରି ସହର ଉପକଣ୍ଠ କଟଲିଗୁଡ଼ାଠାରେ ନିର୍ମାଣଧୀନ ଅବସ୍ଥାରେ ଅଛି ବିମାନବନ୍ଦର। ବିମାନବନ୍ଦର ରନୱେ, ଟର୍ମିନାଲ ଓ ରନୱେରେ ଟ୍ରାଏଲ ରନ ମଧ୍ୟ ସରିଛି। ହେଲେ ଏବେ ବିମାନବନ୍ଦର କଥା ନ କହିବା ଭଲ। ଏଠି ବିମାନ ଓହ୍ଲାଇବା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଅଗ୍ନିଶମ ବିଭାଗ ଘର ନିର୍ମାଣ ହୋଇନାହିଁ। ସ୍ୱତନ୍ତ୍ର ଇଲେକ୍ଟ୍ରି ବ୍ୟବସ୍ଥା ନାହିଁ। ଟିକଟ କାଉଣ୍ଟର ନାହିଁ। ଚତୁରପାର୍ଶ୍ୱରେ ଥିବା ବାଉଣ୍ଡରି ୱାଲ ଭୁଶୁଡି ପଡୁଛି। ଏଭଳି ପରିସ୍ଥିତି ମଧ୍ୟରେ ରହିଛି ବିମାନବନ୍ଦର। ପୂର୍ବ ସରକାର ଯାହା କରି ଯାଇଥିଲେ ସେମିତି ପଡ଼ି ରହିଛି। ଆଗକୁ ଗଡୁନି ବିମାନବନ୍ଦର କାର୍ଯ୍ୟ।
/filters:format(webp)/sambad/media/media_files/2025/08/18/malkangiri-airport-2025-08-18-20-01-56.jpg)
ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଏୟାରପୋର୍ଟର ଉଦଘାଟନ ବି କରିଥିଲେ। ଏସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯାଇଛି ମାଲକାନଗିରିବାସୀଙ୍କ ପାଇଁ। ତେବେ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ବିମାନବନ୍ଦର ପାଇଁ ଡିଜିସିଏ ଅନୁମତି ଦେଇନଥିବାବେଳେ ବିମାନ କିଭଳି ଉଡୁଥିଲା ବୋଲି ପ୍ରଶ୍ନ ଉଠୁଛି। ଏଥିସହ ଉଦଘାଟନ ହେବାର କିଛି ଦିନ ପରେ ବିଭିନ୍ନ ଅଂଶ ଭାଙ୍ଗି ରୁଜି ଯିବାକୁ ନେଇ ମାଲକାନଗିରିବାସୀ ବର୍ଷିଛନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ କହିବା କଥା ଏହା ସାଧାରଣ ଲୋକଙ୍କ ପାଇଁ ନୁହଁ ବରଂ ରାଜନେତାଙ୍କ ନିର୍ବାଚନୀ ପ୍ରଚାର ପ୍ରସାର ପାଇଁ ତିଆରି ହୋଇଥିଲା କି ବିମାନବନ୍ଦର? ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର। ପୂର୍ବ ସରକାର କାହିଁକି ଦାୟିତ୍ୱରେ ଥିବା ଯନ୍ତ୍ରୀ, ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ?
ମାଲାକାନଗିରି ବିମାନବନ୍ଦରର ରନୱେର ଲମ୍ବ ୧୬ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର। ଅବଶ୍ୟକ ସ୍ଥଳେ ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଏୟାରପୋର୍ଟରୁ ୧୬ କିମ୍ବା ୩୦ ସିଟର ବିମାନ ଉଡିବା ଭଳି ରନୱେ ରହିଛି । ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରର ଅଟକଳ ମୂଲ୍ୟ ୭୦ କୋଟି ରଖାଯାଇଛି। ଉପାନ୍ତ ଓ ପଛୁଆ ପଣର ଆଖ୍ୟାକୁ ପଛରେ ପକାଇ ବିକାଶ ମାର୍ଗରେ ଆଗେଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱପ୍ନ ଥିଲା। ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶପଥ ମାନଚିତ୍ରରେ ସ୍ଥାନ ପାଇଥିଲା ମାଲାକାନଗିରି ଜିଲ୍ଲା। ୨୦୨୨ ନଭେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଏହି କାମ ମାତ୍ର ୧୪ ମାସରେ ଅତି ତରବରିଆ ଭାବରେ କାର୍ଯ୍ୟ ଶେଷ ହୋଇଥିଲା। ଟର୍ମିନାଲ, ଗେଷ୍ଟ ହାଉସ ସହ ବିଶାଳ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ମୋଟ ୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏୟାର ପୋର୍ଟ । ୭୪ ଏକର ସରକାରୀ, ୩୩ ଏକର ଜଂଗଲ ଜମି ଓ ୧୨୬ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇଛି। ୨୯ କୋଟି ଟଙ୍କା ବିନିମୟରେ ଜମି ଅଧିଗ୍ରହଣ ହୋଇଥିଲା। ୫୫ ବିସ୍ଥାପିତ ପରିବାରଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/18/new-project-28-2025-08-18-19-58-23.jpg)