କଟକ: ପୁଲିସ ସବ୍-ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କରାଯାଇଛି। ଏ ନେଇ ଆଜି ସରକାରଙ୍କ ତରଫରୁ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ବୟସ ସୀମା କୋହଳ ବ୍ୟବସ୍ଥା ଆବେଦନକାରୀମାନଙ୍କ ପାଇଁ ଲାଗୁ ହେବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିବା ବେଳେ ଏ ସମ୍ପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁପୁନ  ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ୨୦୨୫, ଜାନୁଆରି ୧୭ରେ ଗୃହ ବିଭାଗ ଅଧିନରେ ୬୦୯ଟି ପୁଲିସ ସବ୍-ଇନ୍ସପେକ୍ଟର,  ୨୫୩ଟି ପୁଲିସ ସବ୍-ଇନ୍ସପେକ୍ଟର (ଆର୍ମଡ୍), ୪୭ ଷ୍ଟେସନ ଅଫିସର(ଅଗ୍ନିଶମ ବିଭାଗ) ଓ ୨୪ଟି ସହକାରୀ ଜେଲର ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ଭାବେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା ୨୫ ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏସସି/ଏସଟି/ଏସଇବିସି/ମହିଳା ପ୍ରାର୍ଥୀଙ୍କ ପାଇଁ  ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିଲା। ତେବେ କେତେକ ପ୍ରାର୍ଥୀ ବିଶେଷ କରି ସାଧାରଣ ବର୍ଗର ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସ ସୀମାକୁ ନେଇ ଆପତ୍ତି ଉଠାଇଥିଲେ।

ଶେଷଥର ୨୦୧୮-୧୯ରେ ଓଡ଼ିଶା ପୁଲିସରେ ଏସଆଇ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥ‌ିଲେ। ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା କୋହଳ କରାଯିବାର ଆବଶ୍ୟକତା ରହିଛି ଦର୍ଶାଇ ହାଇକୋର୍ଟରେ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏକାଧିକ ଆବେଦନ ଦାୟର ହୋଇଥିଲା। ମହାମାରୀ ସଂକ୍ରମଣ ବେଳେ ପ୍ରାୟ ତିନିବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିଲା।

ଅନ୍ୟ କେତେକ ସରକାରୀ ଚାକିରିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇଥିବା ନଜିର ଆବେଦନକାରୀଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। କିନ୍ତୁ ପୁଲିସ ସବ୍-ଇନ୍ସପେକ୍ଟର ପଦ ପାଇଁ ସରକାର ବୟସ ସୀମା କୋହଳ ନ କରିବା ଦ୍ବାରା ବହୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ମାମଲା ଗୁଡ଼ିକର ପ୍ରାରମ୍ଭିକ ଶୁଣାଣି କରି ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଅନ୍ତରୀଣ ଅନୁମତି ଦେଇଥିଲେ। ଅଦାଲତଙ୍କ ବିନା ଅନୁମତିରେ ସେମାନଙ୍କ ପରୀକ୍ଷାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ମାମଲାର ହାଇକୋର୍ଟ‌ରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମଦନ ମୋହନ ଦାସ ମାମଲା ପରିଚାଳନା କରୁଥିଲେ।

 Orissa High Court