ଆସିକା: ଗଂଜାମ ଜିଲ୍ଲା ଆସିକା ବ୍ଳକ କୋଟିନଡ଼ା ଥାନା କେନ୍ଦୁପଦର ଗ୍ରାମରେ ଆଜି ରାତ୍ରି ପ୍ରାୟ ୮ ଟା ବେଳେ ସାତରୁ ଆଠ ଜଣ ଯୁବକ ତିନିରୁ ଅଧିକ ବାଇକ୍ରେ ଆସି ସେହି ଗ୍ରାମର ଚନ୍ଦନ ବିଷୋୟୀ, ଅଜିତ ବିଷୋୟୀ ଓ ବଚନ ବିଷୋୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ଯୁବକ ଗୁରୁତର ଅଛନ୍ତି।
ଗୁରୁତର ତିନି ଜଣଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କେନ୍ଦୁପଦର ଗ୍ରାମର ବିକ୍ରମ ବିଶ୍ୱାଳ ହାତରେ ମାଉଜର ନେଇ ଆସି ସେହି ଗ୍ରାମର ଜଣେ ଯୁବକଙ୍କ ଠିକଣା ପଚାରି ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ମାଉଜର ଓ ଅନ୍ୟ ମାରଣାସ୍ତ୍ରରେ ତିନି ଜଣଙ୍କୁ ମାଡ଼ ମାରିଥିଲେ।
ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ମାଉଜରରୁ ତଳେ ପଡ଼ିଥିବା ବେଳେ ଗୁରୁତର ଆହାତ ଯୁବକମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି। କୋଟିନଡ଼ା ପୁଲିସର ଏକ ଟିମ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି।
ଅପରାଧିଙ୍କ ଅମରାବତୀ ଆସିକାରେ ଗତ କିଛି ମାସ ମଧ୍ୟରେ ବହୁ ସଂଖ୍ୟାରେ ମାଉଜର ଜବତ ହୋଇଥିବା ବେଳେ ପୁଣି ଆଜି ମାଉଜରରେ ଆକ୍ରମଣ ପ୍ରମାଣିତ କରିଛି ଆସିକାରେ ଆହୁରି ମାଉଜର ଗଛିତ ଅଛି। ଆସିକା ରେ ଆଇନ ଶୃଙ୍ଖଳା ପାଇଁ ଗତ ତିନି ବର୍ଷ ପୂର୍ବେ ଆସିକା ଥାନାକୁ ଭାଗ କରି କୋଟିନଡ଼ା ଥାନା ପ୍ରତିଷ୍ଠା ହୋଇଥିଲା।