ଭୁବନେଶ୍ବର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଫେବ୍ରୁଆରି ୯ ତାରିଖରେ ଏହି ମୁକାବିଲା ହେବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌ ଦେଖିବା ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏହାର ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ‌ଘୋଷଣା ହୋଇଛି। ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଟିକେଟ ମୂଲ୍ୟ ଧାର୍ଯ୍ୟ କରିଛି।  

Advertisment

ଓସିଏ ସମ୍ମିଳନୀ କକ୍ଷରେ ଆଜି ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଷ୍ଟାଡିୟମର ୧ ନମ୍ବର ଗ୍ୟାଲେରିର ଟିକେଟ୍‌ ମଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୨ ଓ ୩ ପାଇଁ ଯଥାକ୍ରମେ ୧୦୦୦ ଓ ୧୨୦୦ ଟଙ୍କା ରଖାଯାଇଛି। ଗ୍ୟାଲେରି ନମ୍ବର ୪ ପାଇଁ ୧୦୦୦ ଟଙ୍କା ଥିବା ବେଳେ ଗ୍ୟାଲେଣି ନମ୍ବର ୫ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପର ଗ୍ୟାଲେରି ନମ୍ବର ୬ ପାଇଁ ୧୨୦୦ ଓ ଗ୍ୟାଲେରି ୭ ନମ୍ବର ପାଇଁ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଆଜିର ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ଯୋଗ ଦେଇଥିଲେ।

Barabati stadium

ଓସିଏ ପକ୍ଷରୁ କୁହାଯାଇଛି ଯେ, ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ମଧ୍ୟ ଟିକେଟର ମୂଲ୍ୟ ଧାର୍ଯ୍ୟ ହୋଇଛି। ଏଥି ପାଇଁ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରି ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି।

ଆସନ୍ତା ଜାନୁଆରିରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିବ। ଇଂଲଣ୍ଡ ଏହି ଗସ୍ତ କାଳରେ ଭାରତ ସହିତ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ନାଗପୁର ଓ ତୃତୀୟ ମୁକାବିଲା ଅହମଦାବାଦରେ ହେବ।

ତେବେ ଗତ ମ୍ୟାଚ ତୁଳନାରେ ଏହି ମ୍ୟାଚ ପାଇଁ ଟିକେଟ୍‌ ଦରରେ ଯଥେଷ୍ଟ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଥର ବାରବାଟୀରେ ଅନେକ ଦର୍ଶକ ଟିକେଟ୍‌ ନପାଇ ହତାଶ ହୋଇଥାନ୍ତି। ଏଥର ଟିକେଟ୍‌ ଦର ବଢ଼ିଥିବାରୁ ସ୍ଥିତି କ’ଣ ରହିବ, ତାହା ଦେଖିବାକୁ ରହିଲା।