ଘୁ.ଉଦୟଗିରି: ଯେତେ ଥର ଗଲେ ମଧ୍ୟ ପୁଣି ଯିବାକୁ ଇଚ୍ଛା ହେଉଛି। ସବୁଜ ସୁନ୍ଦର ପ୍ରାକୃତିକ ଦୃଶ୍ୟ ସାଙ୍ଗକୁ ସୁଉଚ୍ଚ ପାହାଡ଼ ପର୍ବତ ସାଙ୍ଗକୁ ବର୍ତମାନ ସମୟରେ ପାହାଡ଼ ଉପରେ ଭଷା ବାଦଲ ଖଣ୍ଡ ସତେ ଯେମିତି ଲାଗେ ସ୍ୱର୍ଗ ପୁରରେ ଅଛି। କିଛି ଦିନର ବର୍ଷା ପରେ ଆହୁରି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। ସ୍ଥାନୀୟ ଅଞ୍ଚଳର କାଲିଗାଡୁ ହିଲଟପ। ଖୁବ କମ ଦିନ ଭିତରେ କାଲିଗାଡୁ ହିଲଟପ ପର୍ଯ୍ୟଟକଙ୍କୁ ଏହିଭଳି ଭାବରେ ଆକୃଷ୍ଟ କରିଛି ଯେ ଯିଏ ଥରେ ଯାଇ ତାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ପାଇଛନ୍ତି ସେ ଟିକେ ଫୁରସତ ମିଳିଲେ ପୁଣି ବାହାରି ଯାଉଛନ୍ତି। ଦିନକୁ ଦିନ ଏହି ହିଲଟପ କୁ ପର୍ଯ୍ୟଟକଙ୍କ ସୁଅ ଚୁଟିବାରେ ଲାଗିଛି। ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି।

Advertisment

ଘୁ.ଉଦୟଗିରି ସହର ଠାରୁ ୭କିମି ଦୂରରେ ଅବସ୍ଥିତ କାଲିଗାଡୁ ହିଲଟପ। ସ୍ଥାନୀୟ ସହରର ଗାନ୍ଧୀ ଛକ ଠାରୁ ବ୍ଲକ ରାସ୍ତା ଦେଇ ସିର୍କୀ ଡେମ ରାସ୍ତାରେ ମୁକୁଲିଙ୍ଗିଆ ଗ୍ରାମରେ ପହଁଚିଲେ ସେଠାରୁ ଅଳ୍ପ ଦୂରରେ ଏହି ହିଲଟପ ପାଇଁ ଯାତ୍ରା ଆରମ୍ଭ କରିବାକୁ ପଡିବ। ୫୦୦ମିଟର ଚାଲିଚାଲି ଗଲେ ହିଲଟପରେ ପହଞ୍ଚିବେ। ହିଲଟପ ତଳେ ଗାଡ଼ି ରଖିବା ନିମନ୍ତେ ମୁକୁଲିଙ୍ଗିଆ ଗ୍ରାମ୍ୟ କମିଟି ପକ୍ଷରୁ ପାର୍କିଂଗର ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଏବଂ ଖାଦ୍ୟ ବି ମିଳିଯାଉଛି।

ସେଇଭଳି ହିଲଟପ ଉପରେ ପହଂଚିବା ପରେ ସୁନ୍ଦର ଦୃଶ୍ୟ ଉପଭୋଗ କରିବା ସହ ସେଠାରେ ମଧ୍ୟ ବହୁ ଦୋକାନ ଖୋଲିଛି। ହୋଟେଲ, ଚା, ପାନ ଦୋକାନ ଖୋଲା ଯାଇଛି। ସମସ୍ତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ମିଳିଯାଉଛି। ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ହିଲଟପରେ ପର୍ଯ୍ୟଟକଙ୍କ ନିମନ୍ତେ ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଥିବା ଦେଖୁବାକୁ ମିଳୁଛି। ଏହି ହିଲଟପ ବିଷୟରେ ଖବର ପାଇବା ପରେ ତତ୍କାଳୀନ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା ହିଲଟପକୁ ଗସ୍ତ କରି କିଛି ସମୟ ସେଠାରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ସେଇଭଳି ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ଏହି ହିଲଟପକୁ ଯାଇ ବୁଲି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।

g

ଜିଲ୍ଲାପାଳ ଏବଂ ବିଧାୟକ ଗସ୍ଥ ପରେ ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଶା ସଂଚାରିତ ହୋଇଥିବା ବେଳେ ଜିଲ୍ଲାପାଳ ହିଲଟପ ରାସ୍ତାର ଉନ୍ନତିକରଣ ପାଇଁ ଆର୍ଥ ବ୍ୟୟ ବରାଦ କରିଥିବା ବେଳେ ବିଧାୟକ ୫ଲକ୍ଷ ଟଙ୍କା ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିବାକୁ ଘୋଷଣା କରିଥିଲେ। କାଲିଗାଡୁ ହିଲଟପକୁ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ହିଲଟପଟି ପର୍ଯ୍ୟଟକଙ୍କ ମନ ମୋହୁଛି ହେଲେ ହିଲଟପକୁ ଯିବା ନିମନ୍ତେ ରାସ୍ତା ସମସ୍ୟା ସହ ପାନୀୟ ଜଳ, ଶୌଚାଳୟ ସହ ହିଲଟପ ଉପରେ ସୁରକ୍ଷା ପାଚେରୀ ନଥିବା ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗ ପ୍ରତି କୌଣସି ବ୍ୟବସ୍ଥା ନଥିବା କାରଣରୁ ଛୋଟ ଛୁଆ ଏବଂ ନିଜ ପରିବାରକୁ ନେଇ ବହୁସମୟ କାଟିବାକୁ ସୁରକ୍ଷିତ ମଣୁ ନାହାନ୍ତି ପର୍ଯ୍ୟଟକ।

ଚଳିତ ମାସରେ ବର୍ଷା ଯୋଗୁଁ ଏହି ହିଲଟପ ତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଛି। ଭଷା ବାଦଲ ଖଣ୍ଡ ସହ ସୁଉଚ୍ଚ ପର୍ବତ ମାଳା ଘଞ୍ଚ ସବୁଜ ବନାନୀ ଘେରା ଜଙ୍ଗଲ ଚାରିପଟ ନୀଳ ସବୁଜ ପାହାଡ଼ ଉପରେ ଠିଆ ହେଲେ ଶୁଲୁଶୁଲିଆ ପବନ ସାଙ୍ଗକୁ କିମି କିମି ବ୍ୟାପି ପାହାଡ଼ କୁଟି ଦୀର୍ଘ କିମି ଦୂରରେ ଥିବା ଭଞ୍ଜନଗର ଘାଇ, ଡ଼ହ ଘାଇ, ଗଞ୍ଜାମ ଜିଲ୍ଲାର ସୀମାରେ ଥିବା ଗାଁ ଗୁଡିକ ବେଶ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ପର୍ଯ୍ୟଟକଙ୍କ ପାଇଁ।ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏହି ହିଲଟପକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରି ଏହାର ଉନ୍ନତି କଲେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ।ପର୍ଯ୍ୟଟକଙ୍କ ଭିଡ଼ ଲାଗିଲେ ସ୍ଥାନୀୟ ଅଞ୍ଚଳର ଉନ୍ନତି ହେବା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହ ବେକାରୀ ସମସ୍ୟା ଦୂର ହୋଇପାରିବ। ସ୍ଥାନୀୟ ଅଞ୍ଚଳର ହୋଟେଲ ଏବଂ ଲଜ ବ୍ୟବସାୟର ଅଭିବୃଦ୍ଧି ଘଟିବ। ଦୀର୍ଘ ବର୍ଷ ହେଲା ହେଲେ କାଲିଗାଡୁ ହିଲଟପର ବିକାଶ ଆଖି ଦୃଶିଆ ହୋଇପାରିଲାନି। ହିଲଟପ୍‌ରେ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସହ ସୁରକ୍ଷା ପାଚେରୀ ନିର୍ମାଣ ହୋଇପାରିନି।