ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗରୁଡ଼ଗୁଡ଼ା ମୁଖ୍ୟ ରାସ୍ତାକଡ଼ ଜମିରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ସାଢେ ୨ ଘଣ୍ଟ ସମୟରେ ଓଲଟି ପଡିବାରୁ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧି ଭଟ୍ଟା ଗ୍ରାମ ର ପୁରନ ଗୌଡ଼ (୪୦) ବୋଲି ଜଣାପଡିଛି।
ଏ ନେଇ ମୃତକଙ୍କ ବାପା ଆଶାରାମ ଗୌଡ଼ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାଇ ସିନ୍ଧିଭଟ୍ଟା ଗ୍ରାମର ପୁରନ ଗୌଡ଼ ପଡ଼ୋଶୀ ଛତିଶଗଡ଼ର କଣ୍ଡାଗାଁରୁ ଶନିବାର ଏକ ଟ୍ରାକ୍ଟର (ସିଜି ୧୭ କେପି ୧୬୯୦) କ୍ରୟ କରି ଆଜି ନିଜ ଗ୍ରାମ ସିନ୍ଧି ଭଟ୍ଟାକୁ ନିଜେ ଟ୍ରାକ୍ଟର ଚଲାଇ ଆସୁଥିଲା। ତେବେ ଡାବୁଗାଁ ଥାନା ଅନ୍ତର୍ଗତ ଗରୁଡ଼ଗୁଡ଼ା ଗ୍ରାମ ନିକଟ ମୁଖ୍ୟରାସ୍ତା ଦେଇ ଯିବା ସମୟରେ ଟ୍ରାକ୍ଟର ଭାରସାମ୍ୟ ହରାଇବାରୁ ଟ୍ରାକ୍ଟର ଏକ ଜମି ମଧ୍ୟରେ ଓଲଟି ପଡ଼ିଥିଲା। ପୁରନ ଗୌଡ଼ଙ୍କ ଟ୍ରାକ୍ଟର ଚାପାରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଟ୍ରାକ୍ଟର ତଳୁ ପୁରନଙ୍କ ମୃତାବସ୍ଥାରେ ଉଦ୍ଧାର କରିଥିଲେ। ଏ ନେଇ ମୃତକଙ୍କ ବାପା ଆଶାରାମ ଗୌଡ଼ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନ ୨୪/୨୫ ରେ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ପୁଲିସ ଏଏସ୍ଆଇ ଚନ୍ଦ୍ର ଶେଖର ହଜାରି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/16/CPm0Uh8zZC0aquASFPOc.jpg)