ନୂଆଦିଲ୍ଲୀ/ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି। ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି। ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର ରହିଛି। ସେ ଏବେ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି। ଏମ୍ସ ‌ଆଇସିୟୁ ବର୍ଣ୍ଣ ୟୁନିଟ୍‌ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍‌ରେ ଚିକିତ୍ସା ଜ‌ାରି ରହିଛି। ଏକ ଡାକ୍ତରୀ ଟିମ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। 

Advertisment

ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆଜି ଅପରାହ୍‌ଣରେ ଏମ୍ସ ଭୁବନେଶ୍ବରରୁ ଗ୍ରୀନ୍‌ କରିଡରରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଆଯାଇଥିଲା। ଏହା ପରେ ଏୟାର  ପୀଡିତା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏମ୍ସ ଦିଲ୍ଲୀରେ ପହଞ୍ଚିଥିଲେ।

ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହିତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ। ପୀଡିତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବେ। ବ୍ୟକ୍ତିଗତ ଭାବେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଝିଅଟିର ତ୍ୱରିତ ଆରୋଗ୍ୟ କାମନା ନିମନ୍ତେ ପ୍ରାର୍ଥନା କରୁଛି ।

ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଏହି ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର  ବ୍ୟବସ୍ଥା ମାଧ୍ୟମରେ ପୀଡ଼ିତାଙ୍କୁ ଦିଲ୍ଲୀ ନିଆଯାଇଛି। ଏଥିଲାଗି ଗ୍ରିନ୍ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡ଼ିତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। 

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

Delhi AIIMS puri