ଗୁଣପୁର: ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଆତ୍ମ ନିର୍ଭରଶୀଳ ହୋଇ ଥିବା କୁହାଯାଉଥିବା ବେଳେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ସଂଘର୍ଷ କରିବାକୁ ପଡୁଛି। ବାରମ୍ବାର ଆବେଦନ ସତ୍ବେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରୁନଥିବା ଅଭିଯୋଗ କରି ଗୁଣପୁର ଉପଜିଲ୍ଲାପାଳଙ୍କ ଫେରାଦ ହୋଇଛନ୍ତିI
ସୂଚନାରୁ ଜଣାପଡ଼ିଛି ଗୁଣପୁର ବ୍ଲକ ଟିଟିମିରୀ ପଂଚାୟତ ଅନ୍ତର୍ଗତ ଗୁଡ଼ା, ସିଙ୍ଗପଦର, ଅଙ୍କରେଲି ଲକ୍ଷ୍ମୀପୁର ଓ ପାତ୍ରପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି। ମହିଳାମାନେ ଅଭିଯୋଗ କରି କହିଛନ୍ତି ଯେ ସୁଭଦ୍ରା ଯୋଜନା ଆରମ୍ଭ ହେବା ପରେ ସେମାନେ ଜନ ସେବା କେନ୍ଦ୍ରରେ ଆବେଦନ କରିଥିଲେ।
ରାଜ୍ୟ ସରକାରଙ୍କ ବଡ଼ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ରୁ କୋଟିଏରୁ ଊର୍ଦ୍ଧ୍ବ ମହିଳା ଉପକୃତ ହୋଇଛନ୍ତି। ଏହା ଭଲ ଖବର। କିନ୍ତୁ ଏବେବି ଆହୁରି ଲକ୍ଷାଧିକ ହିତାଧିକାରୀଙ୍କୁ ଅଣଦେଖା କରାଯାଇଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହେବା କଥା କୌଣସି ନା କୌଣସି ତ୍ରୁଟି ପାଇଁ ସେମାନେ ଯୋଜନାରୁ ବାଦ୍ ପଡ଼ିଛନ୍ତି। ସରକାର କୋଟିଏ ମହିଳାଙ୍କୁ ଯୋଜନାରେ ସାମିଲ କରିଥିବା ବେଳେ ସେହି ତୁଳନାରେ ମାତ୍ର କମ୍ ହିତାଧିକାରୀଙ୍କୁ ସାମିଲ କରିପାରି ନାହାନ୍ତି, ଯେଉଁଥି ପାଇଁ ସମାଲୋଚନାର ଶିକାର ହେଉଛନ୍ତି।
ଦୀର୍ଘ ମାସ ବିତିଯାଇଥିଲେ ସୁଦ୍ଧା ଏହି ଗାଁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଟଙ୍କା ପାଇବାରେ ବଂଚିତ ହୋଇ ରହିଛନ୍ତିI ଏନେଇ ବ୍ଲକ ପ୍ରଶାସନ, ତହସିଲ ଓ ମହିଳା ଶିଶୁ ବିକାଶ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ମହିଳାମାନେ ଅଭିଯୋଗ କରି କହିଛନ୍ତି ଜମି ନ ଥାଇ ସେମାନଙ୍କ ନାମରେ ୫ ଏକରରୁ ୧୫ଏକର ଜମି ରହିଥିବା ଦର୍ଶାଇ ସେମାନଙ୍କ ଆବେଦନ ଖାରଜ କରାଯାଇଛି। ନିଜ ନାମରେ ଜମି ନ ଥିବା ବେଳେ ଆମକୁ କାହିଁକି ସୁଭଦ୍ରା ଯୋଜନାରୁ ବଂଚିତ କରାଗଲା ବୋଲି ପ୍ରଶ୍ନ କରିଛନ୍ତି? ଭୁଲ ତଥ୍ୟ ଯୋଗୁଁ ଆମେ ସୁଭଦ୍ରା ଯୋଜନାରେ ସାମିଲ ହୋଇ ପାରିଲୁ ନାହି। ତେଣୁ ଘଟଣାର ସଠିକ ତଦନ୍ତ କରାଯାଇ ଆମକୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ ନଚେତ ଅନଲାଇନରେ ଦର୍ଶା ଯାଉଥିବା ଜମିକୁ ଆମ୍ଭଙ୍କୁ ପ୍ରଦାନ କରାଯାଉ ବୋଲି ଏହି ଆଦିବାସୀ ମହିଳାମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
Subhadra Yojana | Rayagada