ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରାସ୍ତାରେ ଯିବା ସମୟରେ ଭିଡ଼ ସମୟରେ ଆମକୁ ଟ୍ରାଫିକ୍‌ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। ଏଠାରେ ତୁଳସୀ ଗଛ ଲାଗିଲେ ଆହୁରି ଭଲ ହେବ। ତୁଳସୀ ଗଛ ଲାଗିଲେ ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଲୋକଙ୍କୁ ଭଲ ଅମ୍ଲଜାନ ମିଳିପାରିବ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛ ଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ। ତେଣୁ ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। 

ଉଭୟ ଔଷଧୀୟ ଓ ଧାର୍ମିକ ଦୃଷ୍ଟିକୋଣରୁ ‘ତୁଳସୀ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ। ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା ଭାବେ ଜଣାଶୁଣା। ତୁଳସୀଙ୍କ ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ। ତୁଳସୀ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ବିଶ୍ବାସ କରାଯାଏ। ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି। ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଯେତିକି, ତାଠାରୁ ଅଧିକ ଏହାର ଔଷଧୀୟ ଗୁଣ। ଆୟୁର୍ବେଦରେ ତୁଳସୀର ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜିକାଲି ତୁଳସୀ ପତ୍ରଯୁକ୍ତ ହର୍ବଲଟି ସମସ୍ତଙ୍କର ପ୍ରିୟ ପାଲଟିଛି। ପିଲାଙ୍କର ସ୍ମୃତିଶକ୍ତି ବର୍ଧକ ଭାବେ ଏହା ବ୍ୟବହାର କରାଯାଉଛି। ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱରରୁ ଉପଶମ ମିଳିଥାଏ। ତାଛଡା ମୂଖଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇବାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ। ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ। ଏତଦ୍‌ ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ତୁଳସୀକୁ ଆହୁରି ଅନେକ ଉପାୟରେ ବ୍ୟବହାର କରାଯାଇଥାଏ।  

 

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ଅବସରରେ ସହରାଞ୍ଚଳର ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ଚିନ୍ତା କରାଯାଇଛି। ଆସନ୍ତା ୨୦ ତାରିଖ ଦିନ ଗୋଟିଏ ସମୟରେ ସମସ୍ତ ୟୁଏଲ୍ବିରେ ହଜାର ହଜାର ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘର, କାର୍ଯ୍ୟାଳୟରେ ତଥା ସୁରକ୍ଷିତ ସ୍ଥାନରେ ତୁଳସୀ ଗଛ ସମେତ ଅଁଳା, ସଜନା, ବାରମାସୀ ଶାଗ ଗଛ ପ୍ରଭୁତି ଲଗାଇବାକୁ କୁହାଯାଇଛି।
 
ଅନ୍ୟପଟରେ ସହରାଞ୍ଚଳ ସଫେଇ କାମ ନେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁଠି ସଫେଇ ନ ହେଉଛି, ଆଉଟ୍ ସୋର୍ସିଂ ସଂସ୍ଥା ଦାୟୀ ରହିବେ। ଟର୍ମିନେଟ୍ କରି ନୂଆ ସଂସ୍ଥାକୁ ଦାୟିତ୍ବ ପାଇଁ କଡ଼ା ଚେତାବନୀ। ସହର ହେଉଛି ରାଜ୍ୟର ମୁଖଶାଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୁରୁତ୍ବ ଦେଉଛନ୍ତି। କାଲି ମୁଁ ନିଜେ କଟକ ଓ ଭୁବନେଶ୍ବରର ୱାଟର ଲଗିଂ ସ୍ଥାନ ବୁଲିଛି। ଆଜି ୧୫ଟି ୟୁଏଲ୍ବି ଉପରେ ସମୀକ୍ଷା କରାଯାଇଛି। ବର୍ଷା ଆସିବା ପୂର୍ବରୁ ସବୁ ଡ୍ରେନ୍ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

krushna chandra mahapatra