ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ମୁଖ୍ୟରାସ୍ତା ମରାମତି ପାଇଁ ଦୀର୍ଘ ଦିନ ହେଲା ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। କହିକହି ଥକି ପଡ଼ିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। କିନ୍ତୁ ସହରକୁ ଯେତେ‌‌ବେଳେ ଗୃହ ଓ ନଗର ଉନ୍ୱୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ଦୁଇଦିନିଆ ଗସ୍ତ କଲେ ୧ ଘଣ୍ଟା ମଧ୍ୟରେ ରାସ୍ତା ମରାମତି ହୋଇଗଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଦିନ ୧୧ ଟାରେ ସ୍ଥାନୀୟ ବିଏସଏନଏଲ କାଯ୍ଯାଳୟ ଠାରୁ ପଦଯାତ୍ରା କରି ପୂର୍ତ୍ତି ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବାର କାଯ୍ଯକ୍ରମ ଥିଲା। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବରାଳିନୀ ମାର୍କେଟରେ ଖାଲଖମା ରାସ୍ତା ଘଣ୍ଟାଏ ପୂର୍ବରୁ ଅର୍ଥାତ ଦିନ ୧୦ଟାରେ ହଠାତ୍ ମରାମତି କରାଯାଇଥିଲା। ଏଭଳି ତରବରିଆ କାମକୁ ଦେଖି ଲେକେ ପ୍ରଶ୍ନ କରିଥିଲେ। ଏହି ରାସ୍ତାର ମରାମତି ପାଇଁ ଆଜି ପର୍ଯ୍ୟନ୍ତ କାହାକୁ ଦେଖା ଯାଉନଥିଲା ବୋଲି କହିବାକୁ ପଛାଇ ନଥିଲେ। ମନ୍ତ୍ରୀ ଅଞ୍ଚଳର ସମସ୍ଯା ଦେଖିବାକୁ ଆସିଥିବା ବେଳେ ପ୍ଯାଚ୍‌ ପକାଇ ସମସ୍ଯା କାହିଁକି ଲୁଚା ଯାଇଛି ବୋଲି ପ୍ରଶ୍ନ କରିଥିଲେ। 

Advertisment

ତରବରିଆ ଭାବେ ସିମେଣ୍ଟ ପାଉଡର ପକାଇ ମରାମତି କରାଯାଇ ଥିବା ଏହି ରାସ୍ତା ଏବେ ସୁଖି ଯାଇଛି। କିନ୍ତୁ ସିମେଣ୍ଟ ଗୁଣ୍ଡ ଧୂଳିରେ ପରିଣତ ହୋଇ ଲୋକଙ୍କ ପାଇଁ କାଳ ସାଜିଛି। ଯାନବାହନ ଯିବା ସମୟରେ ଏତେ ଧୂଳି ଉଡୁଛି ଯେ ଲୋକେ ଅଣନିଶ୍ୱାସୀ ହୋଇଯାଉଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି ହେଉଛି। 

 

ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ମହାପାତ୍ର ଗସ୍ତର ପ୍ରଥମ ଦିନରେ ସ୍ଥାନୀୟ ଏନଏସିରେ ପହଂଚିବା ପରେ ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ କାଉନସିଲରଙ୍କ ସମେତ ନିର୍ବାହୀ ଅଧିକାରୀ ସ୍ୱାଗତ କରିଥିଲେ। ପରେ ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା କାଉନସିଲ ହଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଗୋଟି ଗୋଟି କରି ବିଭାଗୀୟ କାର୍ଯ୍ୟ, ଯୋଜନା ଉପରର ସମୀକ୍ଷା କରିଥିଲେ। ବିଶେଷ କରି ଏନଏସିର ପରିମଳ ବ୍ୟବସ୍ଥା, ଆଲୋକୀକରଣ, ଜାଗା ମିଶନ, ସାମାଜିକ ସୁରକ୍ଷା, ବିକାଶମୂଳକ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ବିଷୟରେ ସମୀକ୍ଷା କରିବା ସହ ଏନଏସିର ରାଜସ୍ୱ ଆଦାୟ ରାଜସ୍ୱ ବୃଦ୍ଧି ସହ ନୂତନ ଗୃହ ନିର୍ମାଣ ନିମନ୍ତେ ସରକାରୀ ଅନୁମତି ପତ୍ର ଯୋଜନା ପ୍ରସ୍ତୁତ କରି ଦେୟ ଆଦାୟ ସହ ଅନୁମୋଦନ କରିବା ପାଇଁ ମନ୍ତ୍ରୀ ତାଗିଦ କରିଥିଲେ। ବିଭିନ୍ନ କର ଆଦାୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ। ଏହାସହ ଆଗାମୀ ବର୍ଷା ଋତୁ ପୂର୍ବରୁ ସହରର ସମସ୍ତ ଡ୍ରେନ ନିର୍ମାଣ ସହ ଡ୍ରେନ ଉପରେ କଭର ପ୍ଲେଟ ପକାଇବା କାର୍ଯ୍ୟ ସରିବାକୁ ନିର୍ଦେଶ ଦେଇଥିଲେ। 

Review meeting of Krushna Chandra Mohapatra
Review meeting of Krushna Chandra Mohapatra at G Udayagiri Photograph: (sambad.in )

 

ଏନଏସି ପକ୍ଷରୁ ଆଗାମୀ ଦିନରେ କିଛି ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ଏବଂ ଉକ୍ତ କାର୍ଯ୍ୟ ନିମନ୍ତେ ସରକାରୀ ଅନୁଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରସ୍ତାବ ପ୍ରଦାନ କରାଯାଇଥିଲା ଯେଉଁଥିରେ ୨ଗୋଟି ଟଙ୍କା ବ୍ୟୟରେ ଗୋଶାଳା ନିର୍ମାଣ, ନୂତନ ପରିଷଦ କାର୍ଯ୍ୟାଳୟ ନିର୍ମାଣ, ଦୁଇଗୋଟି ସ୍ମାର୍ଟ ଶ୍ମଶାନ ଘାଟ ନିର୍ମାଣ, ସାଲୁଙ୍କି ନାଳରେ ସହରର ଡ୍ରେନ ପାଣିକୁ ସିଧାସଳଖ ନ ପକେଇ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରି ତାର ବିଶୁଦ୍ଧ ଜଳକୁ ନଦୀକୁ ଛାଡିବା କାର୍ଯ୍ୟ, ବର୍ତ୍ତମାନ ସହର କୁ ଯେଉଁ ଜଳ ଯୋଗାଣ ହେଉଛି ତାର ଜଳସ୍ତର ବୃଦ୍ଧି କରି ସହରବାସୀଙ୍କୁ କିଭଳି ୨୪×୭ପାନୀୟ ଜଳ ଯୋଗାଣ ହୋଇପାରିବ ତା ଉପରେ ଡିପିଆର ପ୍ରସ୍ତୁତ କରି ଅତିଶୀଘ୍ର କାର୍ଯ୍ୟ ହୋଇପାରିବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମନ୍ତ୍ରୀ ତୁରନ୍ତ ଏହି କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠେଇବା ପରେ ତାକୁ ଅନୁମୋଦନ କରାଯାଇ ଘୁ.ଉଦୟଗିରି ଏନଏସି ର ବିକାଶ ଧାରା ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି। 

Kandhamal | krushna chandra mahapatra