ଭୁବନେଶ୍ବର: ତୃଣମୂଳ ସ୍ତରରେ ଶକ୍ତିଶାଳୀ ଅନୁଷ୍ଠାନ ଗଠନ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯେଉଁଥିରେ ଗୁଣାତ୍ମକ ଇନପୁଟ୍, ସଂରକ୍ଷଣ ଢାଞ୍ଚା, ପ୍ରକ୍ରିୟାକରଣ ସୁବିଧା, ଋଣ ସୁବିଧା ଏବଂ ମାର୍କେଟିଂ ସୁବିଧା ଭଳି ସ୍ଥାନୀୟ ଲୋକଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ। ଗ୍ରାମାଞ୍ଚଳରେ ସମବାୟ ସମିତିର ସଶକ୍ତୀକରଣ ଓ ସୁଦୃଢ଼ୀକରଣ ପାଇଁ ସମବାୟ ମନ୍ତ୍ରଣାଳୟର ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହା କହିଛନ୍ତି।
ଅମୁଲ ଭଳି ବହୁମୁଖୀ ସମବାୟ ସମିତି ବିଷୟରେ ଉଦାହରଣ ଦେଇ ସେ କହିଥିଲେ ଯେ ସମବାୟ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ପଦକ୍ଷେପ ଯଥା ମଡେଲ୍ ବାଇ-ଲ’, କମ୍ପ୍ୟୁଟରୀକରଣ, ଜନ ଔଷଧି କେନ୍ଦ୍ର ଏହି ସମବାୟ ସମିତିଗୁଡ଼ିକୁ ଗୋଟିଏ ଛାତ ତଳେ ଚାଷୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୱାନ୍ ଷ୍ଟପ୍ କେନ୍ଦ୍ରରେ ପରିଣତ କରିଛି। ଲୋକଙ୍କ ନିଜସ୍ୱ ସଂଗଠନ ହୋଇଥିବାରୁ ସମବାୟ ସମିତିଗୁଡ଼ିକରେ ବିପୁଳ ସମ୍ଭାବନା ରହିଛି।
ଜିଡିପିରେ ଯୋଗଦାନ ଦେବାରେ ସମବାୟ ସମିତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସମବାୟ ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୂଟାନୀ ଆଲୋକପାତ କରିଥିଲେ। ଏ ଦିଗରେ ସେ ସମବାୟ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ମଡେଲ ବାଇଲ’ଗୁଡ଼ିକୁ ଗ୍ରହଣ କରି ଏମପିଏସିଏସ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ।
ମଡେଲ ବାଇଲ’ ଗ୍ରହଣ କରିବା ଦ୍ୱାରା ପ୍ୟାକ୍ସ ୨୫ଟି ନୂତନ ବ୍ୟବସାୟିକ ମାର୍ଗରେ କାର୍ଯ୍ୟ କରିବାରେ ସକ୍ଷମ ହୋଇଛି ଯାହା ପିଏସିଏସକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବ। ଏହାବ୍ୟତୀତ ୩ଟି ନୂତନ ସମବାୟ ସମିତି, ଏନସିଇଏଲ, ଏନସିଓଏଲ ଏବଂ ବିବିଏସଏସଏଲ ଗଠନ ପାକ୍ସ ପାଇଁ ପରିସରକୁ ବ୍ୟାପକ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଜୈବିକ ଉତ୍ପାଦ ସମେତ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଲାଭଦାୟକ ମୂଲ୍ୟ ପାଇବାରେ ଏହି ସୋସାଇଟିଗୁଡ଼ିକ କୃଷକମାନଙ୍କୁ ସହଯୋଗ କରିବେ ବୋଲି ସେ କହିଥିଲେ।