ବାମନାଳ: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ଆସନ୍ତା ଜୁନ୍ ୩ ଓ ୪ ତାରିଖରେ ଉତ୍କର୍ଷ ନିମାପଡ଼ା-୨୦୨୫ କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥି ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ କହିଛନ୍ତି, ବିକଶିତ ନିମାପଡା ଗଠନ ନିମନ୍ତେ ଏହାହିଁ ପ୍ରଥମ ପାହାଚ।
ଉତ୍କର୍ଷ ନିମାପଡ଼ା-୨୦୨୫ର ମୂଳଲକ୍ଷ୍ୟ ହେଉଛି ଉତ୍କର୍ଷ ଗ୍ରାମ, ସୁସ୍ଥ ନିମାପଡ଼ା, ମହିଳା ସଶକ୍ତୀକରଣ, କୃଷକ ସଶକ୍ତିକରଣ, ପର୍ଯ୍ୟଟନ, ଶିଳ୍ପ ଅଭିବୃଦ୍ଧି, ଅପରାଧ ରହିତ ନିମାପଡା, ସ୍ମାର୍ଟ ନିମାପଡ଼ା ପରି ୧୧ଗୋଟି ବିଷୟକୁ ଗୁରୁତ୍ଵ ଦେବା। ଉତ୍କର୍ଷ ନିମାପଡାରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ମତାମତକୁ ନେଇ ହେବ ଉତ୍କର୍ଷ ନିମାପଡ଼ା ୨୦୩୬ ରୋଡ ମ୍ୟାପ।
ଓଡ଼ିଶା ପ୍ରଦେଶ ଗଠନରେ ଶତବାର୍ଷିକୀ (୨୦୩୬) ସୁଦ୍ଧା ବିକଶିତ ଓଡ଼ିଶାର ସ୍ଵପ୍ନ ସାକାର ପାଇଁ ବିଜେପି ସରକାର ସଙ୍କଳ୍ପ ବଦ୍ଧ। ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ଡବଲ ଇଞ୍ଜିନ ସରକାର ପ୍ରୟାସ ଜାରିରଖିବା ସହ ପ୍ରତି ଗାଁ, ପ୍ରତି ସହର ଏବଂ ପ୍ରତି ନିର୍ବାଚନ ମଣ୍ଡଳୀ ବିକଶିତ ହେଲେ ହିଁ ବିକଶିତ ଓଡିଶା ସମ୍ଭବ ହେବ।
ଏହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ପ୍ରଥମ ଥର ପାଇଁ ନିମାପଡା ଠାରେ ଆୟୋଜିତ ହେବାକୁ ଯାଉଚି ଉତ୍କର୍ଷ ନିମାପଡା ୨୦୨୫। ନିମାପଡା ଇଣ୍ଡୋର ଷ୍ଟାଡିୟମସ୍ଥିତ ନୂଆ ବାରବାଟି ପଡିଆରେ ଦୁଇଦିନ ଧରି ଆୟୋଜିତ ହେବ ଉତ୍କର୍ଷ ନିମାପଡା ସମ୍ମିଳନୀ ଉଦ୍ଘାଟନୀ ସମାରୋହରେ ହରିବାବୁ କମ୍ଭମପାଟି ଯୋଗଦେବାକୁ ଥିବା ବେଳେ ପୁରୀ ଓ ଜଗତସିଂହପୁର ଲୋକସଭା ସାଂସଦ, ସମସ୍ତ ବିଧାୟକମାନେ ଯୋଗଦେବେ।
ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ସାଂସଦ, ବିଧାୟକମାନେ ଉପସ୍ଥିତ ରହିବାର କାର୍ଯକ୍ରମ ରହିଛି। ଏହି ସମ୍ମିଳନୀ ଦ୍ବାରା ନିମାପଡାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ଵରାନିତ କରିବା ସହ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ମାନ ବଢିବ ଏବଂ ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ।ବିକଶିତ ନିମାପଡା ଗଠନର ସ୍ବପ୍ନକୁ ସାକାର କରିବା ସହ ଓଡ଼ିଶାକୁ ଭାରତରେ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଉତ୍କର୍ଷ ନିମାପଡା ୨୦୨୫ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ସଭାରେ ନିମାପଡ଼ା ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ଗୋପ ବିଡ଼ିଓ ଛବୀରାଣୀ ସାହୁ, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ସହ ସମସ୍ତ ପ୍ରଶାସନିକ ଅଧିକାରୀ ଓ ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ।
puri