ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଗତ ୧୫ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଗ୍ରାମର ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଛୋଟ ଛୋଟ ଶିଶୁ ଆକ୍ରାନ୍ତ ହୋଇ ଔଷଧ ସେବନ ପରେ ସୁସ୍ଥ ଥିବା ବେଳେ କିଛି ଅସୁସ୍ଥ ଥିବା ଜଣାପଡିଛି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗତ ମାସ ୨୦ ତାରିଖ ଦିନ ଗ୍ରାମର କେଶବ ମାଝୀଙ୍କ ସ୍ତ୍ରୀ ବିମଳା ମାଝୀ(୪୨)ଙ୍କୁ ସଲକୁ ପ୍ରଥମେ ଝାଡ଼ାବାନ୍ତି ହୋଇଥିଲା। ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ଦିନ ପରେ ପୁଣି ଝାଡ଼ାବାନ୍ତି ହୋଇଥିଲା। ଫଳରେ ୨୪ ତାରିଖ ଦିନ ଗୁରୁତର ଅବସ୍ଥାରେ ଘରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ଗତ ୨୯ ତାରିଖ ଦିନ ଟିବୁ ଜାନୀଙ୍କ ସ୍ତ୍ରୀ ରାମା ଜାନୀ(୪୭)ଙ୍କୁ ସକାଳୁ ଝାଡ଼ାବାନ୍ତି ହୋଇଥିଲା। ସ୍ୱାମୀ ଟିବୁ ଗାଈ ଚରାଇବା ପାଇଁ ଯାଇ ଥିବା ବେଳେ ରାମା ପ୍ରାୟ ୬ଥର ଝାଡା ଏବଂ ବାନ୍ତି ହୋଇ ଗୁରୁତର ହୋଇଥିଲେ। ସ୍ୱାମୀ ଆସିବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତେବେ ଆମ୍ବୁଲାନ୍ସ ଚେପଟିଆମ୍ବା ଗ୍ରାମ ପହଞ୍ଚିବା ପୂର୍ବରୁ ରାମାର ଘରେ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମର ବହୁ ଛୋଟ ଛୋଟ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ସେବନ ପରେ କିଛି ସୁସ୍ଥ ଥିବା ବେଳେ ଆଉ କିଛି ଗୁରୁତର ଥିବା ଜଣାପଡିଛି।

jharigaon

ଗ୍ରାମର ଡାଳ ଜାନୀ, ତୁଳସା ଜାନୀ, ରାଧିକା ନାୟକ, ହୀରାମଣି ଜାନୀ, ଅନ୍ତୁ ଜାନୀ, ପୂର୍ଣ୍ଣ ଜାନୀ, ରାଜେନ୍ଦ୍ର ଜାନୀ, ପବିତ୍ର ଜାନୀ ପ୍ରମୁଖ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ସୂଚନା ମିଳିଛି। ଆଜି ସକାଳୁ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଗୁରୁତର ଥିବା ଡ଼ମାଇ ଜାନୀଙ୍କୁ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିବା ଜଣାପଡିଛି। ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ଜାଣିବା ପରେ ଡାକ୍ତର ସନ୍ତୋଷ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ଜାନକୀ ଟାକିରି, ଷ୍ଟାଫ ନର୍ସ ଚଞ୍ଚଳା ନାୟକ ପ୍ରମୁଖ ଚେପଟିଆମ୍ବା ଗ୍ରାମ ଯାଇ ଗୁରୁତର ମାନକୁ ଚିକିତ୍ସା କରୁଥିବା ଜଣାପଡିଛି।

ପ୍ରକାଶଯୋଗ୍ୟ ବଡ଼ ଟେମେରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମରେ ପ୍ରାୟ ୧୮୦ ପରିବର ରହୁଥିବା ବେଳେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମୁଣ୍ଡାପଦର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ମୁଣ୍ଡାପଦର ଉପ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ବଦଳି ପରେ ଆଜିକୁ ପ୍ରାୟ ସାତ ମାସ ହେବ କୌଣସି ମହିଳା ସ୍ୱାସ୍ଥ୍ୟ ନିଯୁକ୍ତି ହୋଇ ନାହଁନ୍ତି। ଉକ୍ତ ପଞ୍ଚାୟତର ସାନ ଟେମେରା ଉପ ସ୍ଵାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ରହୁ ନଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଦୁଇଟି ଉପ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅବହେଳା ଯୋଗୁଁ ସଠିକ ସମୟରେ ଲୋକ ମାନେ ସ୍ୱାସ୍ଥ୍ୟ ସେବା ପାଉ ନଥିବା ଅଭିଯୋଗ ହୋଇଛି।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡ଼ାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା କହିଛନ୍ତି।