ମାଲକାନଗିରି: ସୁନା ସଫେଇ କରିଦେବା ନାମରେ ମାଲକାନଗିରି ଅଂଚଳରେ ଏବେ ଠକମାନେ ବୁଲୁଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ବାଲିମେଳା ଅଂଚଳରେ ଜଣେ ମହିଳା ସୁନା ସଫା କରିବା ନାମରେ ସୁନା ଲୁଟକରି ନେଉଥିବା ବେଳେ ଗ୍ରାମବାସୀ ଧରି ପୁଲିସର ଜିମାରେ ଦେଇଥିଲେ। ଏବେ ପୁଣି ମାଲାକନଗିରି ସ୍ଥିତ ଏମଭି-୧ ଗ୍ରାମରେ ବାସ କରୁଥିବା ସୁଶିଲ ସରକାରଙ୍କ ଘରେ ଦୁଇ ଠକ ପହଞ୍ଚିଥିଲେ। ସେମାନେ ସୁନା, ରୂପା ଧୋଇ ଦେଉଥିବା କହିଥିଲେ। ସୁଶିଲ ସରକାରଙ୍କ ପତ୍ନୀ କିଛି ରୂପା ଆଣି ଧୋଇ ଦେବାକୁ କହିଥିଲେ। ଦୁହେଁ ଠକ ରୂପାକୁ ଚକ୍ ଚକ୍ କରି ଧୋଇ ଦେଇଥିଲେ। ପରେ ସୁନା ଥିଲେ ଦିଅନ୍ତୁ ତାକୁ ମଧ୍ୟ ଚକାଚକ କରିଦେବୁ ବୋଲି କହିଥିଲେ। 

Advertisment

ସୁଶିଲଙ୍କ ପତ୍ନୀ କିଛି ନବୁଝି ତୁରନ୍ତ ନିଜର ସୁନା ଧରାଇ ଦେଇଥିଲେ। ଠକମାନେ ସୁନାକୁ ଧୋଇଥିଲେ। କିନ୍ତୁ ଏକ ପେପର ପ୍ୟାକେଟରେ ସୁନା ରଖି ସୁଶିଲଙ୍କ ପତ୍ନୀଙ୍କୁ କହିଲେ ଯେ ଏହି ପ୍ୟାକେଟ ଅଧ ଘଣ୍ଟା ପରେ ହିଁ ଖୋଲିବ ନଚେତ କେମିକାଲ ଯୋଗୁଁ ସୁନା ଖରାପ ହୋଇପାରେ। ଏହା କରି ଦୁହେଁ ସେଠାରୁ ଚମ୍ପଟ ମାରିଥିଲେ। ଏହି ଘଟଣା ଜାନୁଆରି ୨୯ ତାରିଖରେ ଘଟିଥିଲା। ଅଧ ଘଣ୍ଟା ପରେ ସୁଶିଲଙ୍କ ପତ୍ନୀ ପେପର ଖୋଲି ସୁନା ଦେଖିଲା ବେଳକୁ ସୁନା ନଥିଲା। ତୁରନ୍ତ ଠକମାନଙ୍କୁ ଖୋଜିବାକୁ ବାହାରିଥିଲେ ମଧ୍ୟ କୌଣସି ଖୋଜ ଖବର ପାଇନଥିଲେ।

ସୁଶିଲ ନିଜର ସଂପର୍କୀୟମାନଙ୍କୁ ମଧ୍ୟ ଖବର ଦେଇଥିଲେ। ତେବେ ଗତ ୪ ତାରିଖ ଦିନ ଏହି ଦୁଇ ଠକ କାଲିମେଳା ବ୍ଲକର ପୁଲିମେଟଲା ଅଂଚଳରେ ବୁଲୁଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଏମାନଙ୍କୁ ଗିରଫ କରି ମାଲକାନଗିରି ଥାନାକୁ ଆଣିଥିଲେ।

 

ଆଇଆଇସି ରିଗାନ କିଣ୍ଡୋ ଦୁଇ ଠକଙ୍କୁ ଜେରା କରିବା ପରେ ଦୁହେଁ ୭ ଗ୍ରାମ ସୁନାକୁ ତରଳାଇ ତାକୁ ଜୟପୁର ରାୟବାବୁ ସାହିର ଶ୍ରୀନିବାସ ସିନ୍ଧେକୁ ବିକ୍ରି କରିଥିଲେ। ପରେ ପୁଲିସ ଶ୍ରୀନିବାସଙ୍କ ଠାରୁ ଏହି ସୁନା ଜବତ କରିଥିବା କହିଛି। ଦୁଇ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ସୁପଲ ଜିଲ୍ଲାର ତେରିବେନିଗଞ୍ଜ ଥାନା ଅନ୍ତର୍ଗତ ମାଇଵା ଗ୍ରାମର ବିଜୟ ସାହା(୩୮) ଏବଂ ଚନ୍ଦନ କୁମାର ସାହା(୪୬)। ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା କହିଛି।