ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ୨ଜଣ ଚାଷୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ରାକ୍ଷୀ ମହାନ୍ତ (୩୫) ଓ ମୋନଜ ମହାନ୍ତ (୪୫)।
ସୂଚନା ଅନୁଯାୟୀ ରାଇରଙ୍ଗପୁର ବ୍ଲକ ସାନପଖନା ଗ୍ରାମପଞ୍ଚାୟତର ରାଖାସାହି ଗ୍ରାମର ଦିଲ୍ଲୀପ କୁମାର ମହାନ୍ତଙ୍କ ସ୍ତ୍ରୀ ରାକ୍ଷୀ ମହାନ୍ତ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଗଡିଗାଁ ଗ୍ରାମରେ ଥିବା ନିଜ ଚାଷ ବିଲରେ ଧାନ ରଉଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ରାକ୍ଷୀ ମହାନ୍ତ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ୍ ଥାନା ପୋଲିସ୍ ହସ୍ପିଟାଲ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେସ ନଂ ୧୨/୨୫ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
ସେହିପରି ରାଇରଙ୍ଗପୁର ଉପଖଣ୍ଡ ବହଳଦା ଥାନା ଅନ୍ତର୍ଗତ ନେଉତି ଗ୍ରାମର ସଦାନନ୍ଦ ମହାନ୍ତଙ୍କ ପୁଅ ମୋନଜ ମହାନ୍ତ ମଧ୍ୟ ନିଜ ବିଲରେ ଚାଷ କାମ କରୁଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇ ଟଳି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବହଳଦା ଥାନା ପୁଲିସ ହସ୍ପିଟାଲ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ବହଳଦା ଥାନାରେ କେସ ନଂ ୧୫/୨୫ରେ ଏକ ଅପମୃତ ମାମଲା ରୁଜୁ ହୋଇଛି। ତେବେ ମନୋଜଙ୍କ ପାଖରେ ଥିବା ଏକ ମେଣ୍ଢାର ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଛି।
ଦୁଇଜଣ ଚାଷୀଙ୍କ ମୃତ୍ୟୁରେ ରାଇରଙ୍ଗପୁର ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି। ସାନପାଖନା ସରପଞ୍ଚ ସାଉନା ମାଝୀ ହସ୍ପିଟାଲ୍ ପହଞ୍ଚି ଉଭୟ ପରିବାରକୁ ସମବେଦନା ଜଣାଇଥିଲେ।
Lightning | Mayurbhanj