ନବରଙ୍ଗପୁର: ଜିଲ୍ଲାରେ ପ୍ରାୟ ୧ଲକ୍ଷ ୯୫ହଜାରହେକ୍ଟର ଜମିରେ ବିଭିନ୍ନ ଚାଷ ହେଉଛି। ସେଥିରୁ ଡଙ୍ଗର କିସମ ୧,୩୩,୯୪୪ ହେକ୍ଟର, ମଧ୍ୟମ କିସମ ଜମି ୩୮,୩୪୨ ହେକ୍ଟର ଏବଂ ଖାଲୁଆ ଜମି ମାତ୍ର ୨୯, ୧୩୫ ହେକ୍ଟର ରହିଛି। ଡଙ୍ଗର ଜମିରେ ୩୮, ୮୭୩ ହେକ୍ଟର, ମଧ୍ୟମ କିସମରେ ୩୮,୩୪୨ ହେକ୍ଟର ଓ ଖାଲୁଆ କିସମ ୨୯, ୧୩୫ ହେକ୍ଟର ଜମିରେ ଧାନ ଚାଷ ହେଉଛି। ଜଳସେଚନ ବ୍ୟବସ୍ଥା ନଥିବାରୁ ପ୍ରାୟ ୯୬ ହଜାର ହେକ୍ଟର ଜମିରେ ଚାଷ ହେଉଛି। ବର୍ଷା ପାଣିରେ ହିଁ ବିଶେଷ ଚାଷ ହେଉଛି।

Advertisment

ରାଜ୍ୟର ପ୍ରମୁଖ ନଦୀ ଇନ୍ଦ୍ରାବତୀ ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିଲେ ହେଁ ଏହାର ଲାଭ ଜିଲ୍ଲାବାସୀ ଉଠାଇ ପାରି ନାହାନ୍ତି। ୨୦୧୭ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମୀକ୍ଷା କରିବା ସହ ଇନ୍ଦ୍ରାବତୀ ନଦୀରେ ନବରଙ୍ଗପୁର ସେଚ ଏବଂ ତେଲନଦୀରେ ତେଲ ସମନ୍ବିତ ଜଳବିଦ୍ୟୁତ୍ ପ୍ରକଳ୍ପ କରିବାକୁ ଘୋଷଣା କରିଥିଲେ। ଘୋଷଣାର ୮ବର୍ଷ ପରେ ବି ଉଭୟ ପ୍ରକଳ୍ପ ଭାଗ୍ୟ କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି) ରେ ଅନୁମୋଦନ ପାଇଁ ଅଟକି ରହିଛି।

ଜିଲ୍ଲାରେ ଗୋଟିଏ ମାତ୍ର ବୃହତ୍ ଜଳସେଚନ ପ୍ରକଳ୍ପ ଭାସ୍କେଲ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଉମରକୋଟ ବ୍ଲକର ୪୨୫୦ ହେକ୍ଟର, ମେଗା ଲିଫ୍ଟ କେବଳ ନନ୍ଦାହାଣ୍ଡି ବ୍ଲକରେ ୩ ହଜାର ହେକ୍ଟର, କ୍ଷୁଦ୍ର ସେଚ ପ୍ରକଳ୍ପ ୬୧୩୬ ହେକ୍ଟର, ଉଠାସେଚ ପ୍ରକଳ୍ପରେ ୪୯ ହଜାର ହେକ୍ଟର, ଚେକ୍ ଡ୍ୟାମ୍‌ରେ ୪୯୩୮ ହେକ୍ଟର, ଜଳ ବିଭାଜିକା ଚେକ୍‌ଡ୍ୟାମରେ ୨୬୪୪ ହେକ୍ଟର, ଫାର୍ମପଣ୍ଡରେ ୨୩୪୬ ହେକ୍ଟର ଓ ଅନ୍ୟାନ୍ୟ ଉତ୍ସରେ ୭୬୪୮ ହେକ୍ଟର (ମୋଟ ୮୧ ହଜାର ହେକ୍ଟର) ଜମିକୁ ଜଳସେଚନ ହେଉଥିବା ରିପୋର୍ଟରେ ଦର୍ଶାଯାଉଛି।

୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଜଳସେଚନ ବ୍ୟବସ୍ଥା କମ୍ ରହିଥିବାରୁ ଚିନ୍ତା ପ୍ରକଟ କରି ୨ ପ୍ରକଳ୍ପ ଘୋଷଣା କରିଥିଲେ। ନବରଙ୍ଗପୁର ସେଚପ୍ରକଳ୍ପ ଦ୍ବାରା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ପାଣି ଆଣି ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ଏବଂ ନବରଙ୍ଗପୁରର ୧୫ ହଜାର ହେକ୍ଟର ଜମିକୁ ଜଳସେଚନ ଲାଗି ସରକାର ଯୋଜନା କରିଥିଲେ।

ସେହିପରି ଚନ୍ଦାହାଣ୍ଡି ବ୍ଳକର ୯ ହଜାର ହେକ୍ଟରରେ ଜଳସେଚନ ଲାଗି ତେଲ ସମନ୍ବିତ ଜଳବିଦ୍ୟୁତ୍ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତେବେ ଉଭୟ ପ୍ରକଳ୍ପକୁ ସିଡବ୍ଲ୍ୟୁସି ଅନୁମୋଦନ କରୁନଥିବା ବେଳେ ଛତିଶଗଡ଼ ସରକାର ଏନ୍‌ଓସି (ନୋ ଅବଜେକ୍ଟ ନ ସାର୍ଟି ଫିକେଟ୍) ଦେଉନାହାନ୍ତି। ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଉପରେ ପଡୁଛି। ଏ ଭିତରେ ୮ ବର୍ଷ ବିତିଗଲାଣି। କାମ ଆରମ୍ଭତ ଦୂରର କଥା ଉଭୟ ପ୍ରକଳ୍ପକୁ ସିଡବ୍ଲ୍ୟୁସି ମଞ୍ଜୁରି ମିଳିପାରୁନି। ଏହାକୁ ନେଇ ରାଜନୈତିକ ଦଳୀୟ ନେତା କାଦୁଆ ପିଙ୍ଗାପିଙ୍ଗି ଚାଳିବା ସହ  ପରସ୍ପର ପରସ୍ପରକୁ ଆକ୍ଷେପ କରୁଛନ୍ତି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀଶଙ୍କର ମାଝୀ ଚାଷୀଙ୍କ ଜମିକୁ ଜଳସେଚନ ଗ୍ୟାରେଣ୍ଟି ଦେଇଥିଲେ। ଏବେ ରାଜ୍ୟର ରାଜନୈତିକ ପାଣିପାଗ ବଦଳିଛି। ରାଜ୍ୟ ଓ କେନ୍ଦ୍ର ସମେତ ଛତିଶଗଡ଼ରେ ବିଜେପି ସରକାର ରହିଛି। ବର୍ଷବର୍ଷ ଧରି ପାଣିକୁ ନେଇ ରାଜନୀତି ଚାଲିଥିଲେ ବି ଚାଷୀ କିମ୍ବା ଜନସାଧାରଣଙ୍କୁ ସୁଫଳ ମିଳୁନି।ଜନହୀତକାରୀ ପ୍ରକଳ୍ପ ହୋଇଥିବାରୁ ଏହି ସମୟରେ ଏହି ପ୍ରକଳ୍ପ ଦ୍ବୟ ଆରମ୍ଭ ହେଲେ ଚାଷୀମାନେ ଏହାର ସୁଫଳ ପାଇବେ ବୋଲି ଚାଷୀମାନେ କହୁଛନ୍ତି। 

Nabarangpur