ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଦନ୍ତେୱାଡ଼ା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ସିଆରପିଏଫ୍‌ ଯବାନମାନେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। 

Advertisment

ଏହି ଅଘଟଣ ମାଲବାହୀ ଥାନା ଅଂଚଳର ସାତଧାର ଏବଂ ସାଲେବାହୀ ଅଂଚଳରେ ଘଟିଛି। ଆହତ ହୋଇଥିବା ଦୁଇ ସିଆରପିଏଫ ଯବାନ ହେଲେ ଇନସପେକ୍ଟର ଦିବାନ ସିଂ ଗୁର୍ଜର ଏବଂ କନେଷ୍ଟବଲଆଲମ ମୁନେଶ। ଏହି ଦୁଇ ଯବାନ ୧୯୫ ସିଆରପିଏଫ ବାଟାଲିନୟର ବୋଲି ଜଣାପଡିଛି।

ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସାତଧାର ଓ ମାଲବାହୀ ଗ୍ରାମ ମଝିରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ ପହଞ୍ଚିବା ମାତ୍ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଦୁଇ ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସାଥୀ ଯବାନ ଦୁଇ ଯବାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଦୁଇ ଜଣ ଯବାନଙ୍କର ମୁଣ୍ଡ, ହାତ, ଗୋଡ଼, ପେଟ, ପିଠିରେ ଆଘାତ ଲାଗିଛି।

ନକ୍ସଲ ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲ୍ୟାଣ୍ଡମାଇନ ଓ ପ୍ରେସର ବୋମା ଖଞ୍ଜିଥାନ୍ତି। ଯାହାର ଶିକାର ସାଧାରଣ ଜନତା ସହ ସୁରକ୍ଷାକର୍ମୀ ମଧ୍ୟ ହୋଇଥାନ୍ତି। ଦନ୍ତେୱାଡ଼ା ଏସ୍‌ପି ଗୌରବ ରାୟ ଏହି ଘଟଣାର ସ୍ପଷ୍ଟିକରଣ ଦେଇଛନ୍ତି। ସେହିଅଂଚଳରେ ଯବାନ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରିଛନ୍ତି। 

maoists | CRPF