ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ବାହୁଡ଼ା ଯାତ୍ରାର ଅବ୍ୟବହିତ ପୂର୍ବରୁ ପରଦାକୁ ଆସିବ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଶାବାସୀ ନବକଳେବର ଇତିହାସ ଦେଖିବେ। ପବିତ୍ର ରଥଯାତ୍ରାର ଦିନକ ପୂର୍ବରୁ ସିନେମାର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ଶୁଭମୁକ୍ତି ନେଇ ଲୋକମାନେ ଉତ୍ସାହିତ ଅଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ରୁପେଲି ପରଦାରେ ପ୍ରଦର୍ଶିତ ହେବ। ସିନେମା ମାଧ୍ୟମରେ ଦର୍ଶକ ଦେଖିବେ ଜଗାର ଅଲୌକିକ ନୀତିକାନ୍ତି। ଯୋଡ଼ା ଆଷାଢ଼ ପଡିଲେ ପରିବର୍ତ୍ତନ ହୁଏ ମହାପ୍ରଭୁ ଜଗନ୍ନାଥଙ୍କ ଘଟ। କ’ଣ ପାଇଁ ପଡିଲା ନବକଳେବରର ଆବଶ୍ୟକତା ଓ କେବେ ଆରମ୍ଭ ହୋଇଥିଲା ନବକଳେବର, ତାହା ହିଁ ଏ କାହାଣୀର ମୁଖ୍ୟ କଥାବସ୍ତୁ।
୧୫୭୫ ମସିହାରେ ପ୍ରଥମ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ପ୍ରଥମ ନବକଳେବର ହୋଇଥିଲା। ମହାପ୍ରଭୁ ମାନବୀୟ ଲୀଳା କରନ୍ତି। ବିଶ୍ଵବ୍ୟାପି ଜଗନ୍ନାଥଙ୍କ ପ୍ରଚାର ପ୍ରସାରକୁ ନେଇ ଆମେ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ସିନେମା ଯୋଜନା କରିଛୁ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ବିନି ସାମଲ କହିଛନ୍ତି।
ଅଭିନେତା ହରିହର ମହାପାତ୍ର କହିଛନ୍ତି, ବାହୁଡ଼ା ଯାତ୍ରା ପୂର୍ବରୁ ସିନେମା ‘ଆଇ ଆମ କାଳିଆ’ ରିଲିଜ ହେବ। ଅତୀତରେ ଓଡ଼ିଆ ସିନେମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନଙ୍କ ଉପରେ ଆଧାରିତ ଅନେକ କାହାଣୀ ହୋଇଛି ହେଲେ ବର୍ତ୍ତମାନ ସମୟରେ ମଧ୍ୟ ମହାପ୍ରଭୁଙ୍କୁ ଖୁବ ଭକ୍ତି କରୁଥିବା, ତାଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିବା ଅନେକ ବ୍ୟକ୍ତି ଆମ ସମାଜରେ ଅଛନ୍ତି, ଯେଉଁମାନେ ଈଶ୍ୱରଙ୍କ ପ୍ରତି ପ୍ରେମ ପାଇଁ ନିଜର ଦୈହିକ ପ୍ରେମକୁ ମଧ୍ୟ ତୁଛ ମନେକରନ୍ତି। ଏକ ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ ନେଇ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଆଇ ଆମ୍ କାଳିଆ'। ଚଳଚ୍ଚିତ୍ରଟି ୨୦୨୨ରୁ ପ୍ରସ୍ତୁତି ହୋଇଥିବା ବେଳେ ଏହି ଚଳିତ ବର୍ଷ ମହାପ୍ରଭୁଙ୍କ ବାହୁଡ଼ା ଉପଲକ୍ଷେ ଜୁଲାଇ ୪ରେ ରିଲିଜ ହେବ। ସିନେମାଟି ମହାପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ କାହାଣୀ ବୋଲି ନିର୍ଦ୍ଦେଶକ ହରିହର ମହାପାତ୍ର କହିଛନ୍ତି। ପ୍ରେମ ବୈରାଗ୍ୟକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରେମ ବଡ଼ ନା ଭଗବାନ ବଡ ତାର ସୁନ୍ଦର ଏକ ଟ୍ଵିଷ୍ଟକୁ ନେଇ ସିନେମା ଗତିଶୀଳ ହୋଇଛି। ନିଛକ ଓଡ଼ିଆ ସିନେମା ଟିଏ ଏହା ହୋଇଥିବା ବେଳେ ଭାଷା, ସାହିତ୍ୟ, କଳା, ସାହିତ୍ୟ, ଆମ ଗଳ୍ପ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ଏକ ସୁନ୍ଦର ସିନେମା ହେବ।
rath yatra