ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା ପର୍ବ ଲାଗି ଏପ୍ରିଲ ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇ ଗତକାଲି ନିଆଁପାଟ ଓ କଣ୍ଟାପାଟ ହୋଇଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହୋଯାଇଥିଲା ଉଡ଼ା ପର୍ବ l ଏହି ଐତିହାସିକ ଉଡ଼ାପର୍ବରେ ମୟୂରଭଞ୍ଜ ସମେତ ପଡୋଶୀ ଜିଲ୍ଲାରୁ ମିଶି ମୋଟ ଦେଢ଼ ଲକ୍ଷରୁ ଅଧିକ ଭକ୍ତ ମା’ ବାସୁଳୀଙ୍କ ପୀଠପ୍ରାଙ୍ଗଣକୁ ବୁଲି ଆସିବା ସହିତ ଉଡ଼ାପର୍ବ ଉପଭୋଗ କରିଥିଲେ ଓ ମେଳା ବୁଲିଥିଲେl

Advertisment

ସେହିଭଳି ଚଳିତ ବର୍ଷ ସର୍ବାଧିକ ୩୫ଜଣ ଭକ୍ତା ଉଡ଼ା ଖୁଣ୍ଟିରେ ଚଢି ଶୂନ୍ୟରେ ଉଡ଼ିଥିଲେl ଚଳିତ ବର୍ଷ ମଧ୍ୟ ରୁଦ୍ରତାପ ସତ୍ୱେ ଲକ୍ଷାଧିକ ଲୋକଙ୍କର ସମାଗମକୁ ଲକ୍ଷ କରି ଗ୍ରାମ କମିଟି ତଥା ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା 
ଗ୍ରାମବାସୀଙ୍କ କହିବା ମୁତାବକ ବହୁ ପୁରାତନ ମହୁରୀ ଉଡା ଯାତ୍ରା ଏକ ନିଆରା ପରମ୍ପରାl ସ୍ଥାନୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଗ୍ରାମ ଦେବତୀ ମା ବାସୁଳୀ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିଲେ। ଗ୍ରାମ ତଥା ଅଞ୍ଚଳର ଲୋକ ମାନଙ୍କ ସୁଖ ଶାନ୍ତି ପାଇଁ ମା ବାସୁଳୀଙ୍କ ଉଦେଶ୍ୟରେ ତତ୍‌କାଳୀନ ଗ୍ରାମବାସୀଙ୍କ ଦ୍ଵାରା ଏହି ଉଡା ଯାତ୍ରା ଆରମ୍ଭ ହୋଇଥିଲା। ମା ବାସୁଳୀଙ୍କର ସାତ ଭଉଣୀଙ୍କୁ ପରିବର୍ତ୍ତୀ ସମୟରେ  ଗ୍ରାମର ଅନ୍ୟ ସ୍ଥାନରେ ଆସ୍ଥାନ କରି ପୂଜା କରାଯାଉଥିଲା।

ସେହିଦିନ ଠାରୁ ମା ଥାନଶୀର, ଜାମଶୀର, କାଳିକା, ବଡ଼ାମ, ମନ୍ଦାରମଣି, କନକ ଦୁର୍ଗା, ବାହୁତୀ ପୂଜା ପାଇ ଆସୁଛନ୍ତି। ବହୁ ବର୍ଷ ପରେ ମହାଦେବ ମନ୍ଦିର ନିର୍ମାଣ କରାଯାଇ ଥାନ ପତି ଭାବେ ମୁକ୍ତେଶ୍ଵର ମହାଦେବଙ୍କୁ ସ୍ଥାପନା କରାଯାଇଥିଲା। ଏହି ଉଡା ଯାତ୍ରା ପହିଲା ବୈଶାଖୀର ୧୩ ଦିନ ପୂର୍ବରୁ ଭକ୍ତାମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ କରି ଏକାଙ୍ଗୀ ଭାବେ ଭକ୍ତା ମଣ୍ଡପରେ ରହିଥାଆନ୍ତି। ପ୍ରଥମ ଦିନରୁ ମହାଦେବ ଶିବ ଏବଂ ପାର୍ବତୀଙ୍କର ଅନ୍ୟ ରୂପ ବାସୁଳୀଙ୍କୁ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ପଇତା ଧାରଣ କରିଥାଆନ୍ତି। ପହିଲା ବୈଶାଖୀର ପୂର୍ବ ରାତ୍ରୀରେ ନିଶା ଘଟ ଗ୍ରାମ ପୁଷ୍କରିଣୀରୁ ନିଶା ଘଟ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ପୂଜାର୍ଚ୍ଚନାରେ ଭକ୍ତାମାନେ ନିଜକୁ ନିୟୋଜିତ କରିଥାଆନ୍ତି।

ପଣା ସଂକ୍ରାନ୍ତି ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ଗ୍ରାମ ପରିକ୍ରମା କରିଥାଆନ୍ତି। ଅପରାହ୍ନରେ ପ୍ରଥମେ ଏହି ଭକ୍ତା ମାନେ କଣ୍ଟାପାଟ, ଝୁଲାପାଟ ଓ ନିଆଁପାଟ ପରେ ପୁଣି ପୁଷ୍କରିଣୀରେ ସ୍ନାନ ସାରି ମଣ୍ଡପରେ ପହଞ୍ଚିବା ପରେ ରାତ୍ରୀରେ ନିଶାଘଟକୁ ଗ୍ରାମ ପରିକ୍ରମା କରିଥାଆନ୍ତି। ଗ୍ରାମର ଦେହୁରୀ ବିନ ଦଳେଇ ତାଙ୍କର ପୂର୍ବ ପିଢି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ମା ବାସୁଳୀ ଙ୍କର ପୂଜାର୍ଚ୍ଚନା କରିଆସୁଛନ୍ତି। ଏହି ଉଡା ପର୍ବରେ ନିଜକୁ ସାମିଲ କରିବା ପାଇଁ ବହୁ ମାନସିକଧାରୀ ଗ୍ରାମର ଭକ୍ତାମାନଙ୍କ ସହିତ ମିଶି ହବିଷାନ୍ନ କରିବା ପୂର୍ବକ ନିଜକୁ ଶୁଦ୍ଧପୁତ ଭାବେ ଏହାକୁ ପାଳନ କରିଥାଆନ୍ତି।

publive-image

ପ୍ରଥା ଅନୁସାରେ  ପଣାସଂକ୍ରାନ୍ତି ପରଦିନ ମଙ୍ଗଳବାର ଉଡ଼ା ପଡ଼ିଆରେ ଉଡ଼ାଖୁଣ୍ଟ ସ୍ଥାପନ କରାଯାଇ ଦାଶୀ ଏବଂ ଭକ୍ତା ମାନେ ଉଡି ଉଡି ମା ଙ୍କର ପୁଷ୍ପ ଏବଂ ମିଷ୍ଟାନ୍ନ ବୃଷ୍ଟି କରିଥିଲେ l ଗ୍ରାମର ସଭାପତି ସୁରେନ୍ଦ୍ର ରାଉତ, ସମ୍ପାଦକ ପରେଶ ଚନ୍ଦ୍ର ରାଉତ, ୱାର୍ଡ ସଭ୍ୟ ସତ୍ୟପ୍ରକାଶ ପ୍ରଧାନଙ୍କ ସମେତ ବୟଜ୍ୟେଷ୍ଠ ବ୍ୟକ୍ତି ଗୋବିନ୍ଦ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ଦଳେଇ, କାର୍ତିକ ରାଉତ ପ୍ରମୁଖଙ୍କ ତତ୍ୱାବଧାନରେ ସମସ୍ତ ଗ୍ରାମବାସୀ ଯୁବଗୋଷ୍ଠୀ ସମଗ୍ର ଉଡ଼ା ପର୍ବକୁ ସୁରୁଖୁରୁରେ ପରିଚାଳନା କରିଥିଲେ l ଅନ୍ୟପଟେ ପୁଲିସ ପ୍ରଶାସନ ପକ୍ଷରୁ ଏସଆଇ ଦେବାଶିଷ ମଣ୍ଡଳଙ୍କ ତତ୍ୱାବଧାନରେ ସମଗ୍ର ଉଡ଼ା ପଡିଆରେ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇଥିଲା l

Mayurbhanj