କାଲିମେଳା: ଜମିରେ ଗୋରୁ ପଶି ଧାନ ଖାଇଦେବାରୁ ଅଭାବନୀୟ ଘଟଣା ଘଟିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଥାନା ଅଧୀନ କତା ବଂଝୀଗୁଡା ଗ୍ରାମରେ ପୁତୁରାର ଆକ୍ରମଣରେ ଦାଦାଙ୍କର ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟା ୭ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।
ପୁଲିସ କହିଛି ଗତକାଲି ଦାଦା ଭୀମା ମାଢି ଓ ପୁତୁରା ଲଚ୍ଛା ମାଢି ମଧ୍ୟରେ ଧାନ ଜମିରେ ଗୋରୁ ଧାନ ଖାଇବାକୁ କେନ୍ଦ୍ର କରି ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଦାଦାର ଗୋରୁ କୁଆଡେ ପୁତୁରା ଲଚ୍ଛାର ଧାନ ଜମିରେ ପଶି ଧାନ ଖାଇଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିବାରୁ ପୁତୁରା ଲାଛା ଏକ ଶାବଳ ସାହାଯ୍ୟରେ ଦାଦାର ମୁଣ୍ଡକୁ ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ଏ ସମ୍ପର୍କରେ ମୃତ ଭୀମା ମାଢିଙ୍କ ସ୍ତ୍ରୀ ଆଜି ମୋଟୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗାଁକୁ ଯାଇ ତଦନ୍ତ କରିବା ସହିତ ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖି ଅଧିକା ପଚାରି ଉଚରା କରୁଥିବାର ଥାନା ଅଧିକାରୀ କହିଛନ୍ତି।