ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟଠାରେ ବୁଧବାର ଅପରାହ୍ଣରେ ଏକ ତାରକା ହୋଟେଲ୍ ପଛପାଖରେ ସଂପ୍ରସାରଣ କାର୍ଯ୍ୟ କରାଯାଉଥିବା ଅଘଟଣ ଘଟିଛି। ତିନି ମହଲାର ଛାତ ନିର୍ମାଣ ବେଳେ ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅଘଟଣର ଶିକାର ହୋଇଥିବା ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ମୁତାବକ, ମହିଷାପାଟଠାରେ ରାସ୍ତାପାର୍ଶ୍ବ ବରିଷ୍ଠ ଯୁବ ବ୍ୟବସାୟୀ ଦୀପକ ମିଶ୍ରଙ୍କର ଏକ ୫ ମହଲା ବିଶିଷ୍ଟ ତାରକା ହୋଟେଲ୍ ନିର୍ମାଣ ଚାଲିଛି। ସଂପୃକ୍ତ କୋଠାର ପଛପାଖକୁ ଲାଗି ୩ ମହଲା ବିଶିଷ୍ଟ ଅନ୍ୟ ଏକ ସଂପ୍ରସାରଣ କାର୍ଯ୍ୟର ନିର୍ମାଣ ହେଉଥିବା ବେଳେ ତୃତୀୟ ମହଲାର ଛାତ ପଡ଼ୁଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ନିର୍ମାଣାଧୀନ ଛାତର ପିଲାର୍ଗୁଡ଼ିକ ଭାଙ୍ଗି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେଠାରେ କାମ କରୁଥିବା ଶ୍ରମିକମାନେ ଛାତ ତଳେ ଚାପି ହୋଇଯାଇଥିଲେ।
ଖବରପାଇ ଅଗ୍ନିଶମ ବାହିନୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଅନ୍ୟଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ଆଉ କିହି ଶ୍ରମିକ ଅଛନ୍ତି କି ନାହିଁ ସେ ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି। ଉଦ୍ଧାର କାର୍ଯ୍ୟ ସରିବା ପରେ ମୃତାହତଙ୍କ ସଂପର୍କରେ ସବିଶେଷ ଖବର ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି।
ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଦୁଇ ହାତ କଟିଯାଇଥିବା ବେଳେ ଅନ୍ୟଜଣଙ୍କର ଅଣ୍ଟା ଓ ହାତ ଭାଙ୍ଗିଯାଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ମଧ୍ୟ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏପରି ଏକ ବଡ଼ ଦୁର୍ଘଟଣାକୁ ନେଇ ସାଧାରଣରେ ବ୍ୟାପକ ଉଦ୍ବେଗ ପ୍ରକାଶ ପାଇଛି।
କେତେଜଣ ସେଠାରେ କାର୍ଯ୍ୟ କରୁଥିଲେ ଓ ସେହି ଶ୍ରମିକମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଅଦ୍ୟାବଧି ସନ୍ଦେହଘେରରେ ରହିଥିବା ବେଳେ ଖୁଣ୍ଟୁଝରି ଗ୍ରାମର ଶ୍ରମିକମାନେ ବୋଲି ଶୁଣିବାକୁ ମିଳୁଛି। ଘଟଣାସ୍ଥଳରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍ପି ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଏସ୍ଡିପିଓ ବିଭୂତି ମହାପାତ୍ର, ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/xbJrrCOCB3Ep5WzZ7uxr.jpeg)