ରାଉରକେଲା: କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଭିଜିତ ନରେନ୍ଦ୍ରଙ୍କ ଦୁଇଦିନିଆ ଗସ୍ତ ଶେଷ ହୋଇଛି। ଗୁରୁବାର ଗସ୍ତର ଦ୍ବିତୀୟ ଦିନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ। ଏଥିରେ ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ, ନିଯୁକ୍ତି, ବିସ୍ଥାପିତଙ୍କ ଥଇଥାନ, ବିମାନ ବନ୍ଦର ଉନ୍ନତୀକରଣ ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା।
Advertisment

୨୦୩୦ ସୁଦ୍ଧା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଉତ୍ପାଦନ କ୍ଷମତା ବାର୍ଷିକ ୪.୫ ମିଲିଅନ ଟନ୍‌ରୁ ୯.୩ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସଂପ୍ରସାରଣ ପ୍ରକଳ୍ପ ପାଇଁ ପ୍ରାୟ ୩୫ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୧୨୦୦ ଏକର ଜମି ଆବଶ୍ୟକ।

ତେବେ ଉକ୍ତ ଜମିରେ ବର୍ତ୍ତମାନ ୮ଟି ବସ୍ତିର ୩ ଶହ ପରିବାର ବସବାସ କରୁଛନ୍ତି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସୁରୁଖୁରୁରେ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କୁ ଥଇଥାନ କରିବାକୁ ଯୁଗ୍ମ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ରାଉରକେଲା ବିମାନବନ୍ଦର ସଂପ୍ରସାରଣ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା। ବିମାନବନ୍ଦରକୁ ୪ସି ଲାଇସେନ୍ସ ମାନ୍ୟତା ବିଶିଷ୍ଟ କରାଯିବ। ବଡ଼ ବିମାନ ଅବତରଣ ପାଇଁ ରନ୍‌ୱେର ଲମ୍ବ ୨୮୧୦ ମିଟରକୁ ବୃଦ୍ଧି ହେବ। ଏତଦ୍‌ବ୍ୟତୀତ ଆଇଏଲଏସ୍‌/ଏନ୍‌ଏଲ୍‌ଏସ୍‌ ବ୍ୟବସ୍ଥା, ଅତ୍ୟାଧୁନିକ ଟର୍ମିନାଲ, ସୋଲାର ସିଷ୍ଟମ୍‌ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କରାଯିବ। 
ବର୍ତ୍ତମାନ ବିମାନବନ୍ଦର ୧୩୫.୭୨୯ ଏକର ଜମିରେ ଗଢିଉଠିଥିବାବେଳେ ଅତିରିକ୍ତ ୩୭୫.୫ ଏକର ଜମି ଆବଶ୍ୟକ। ତୁରନ୍ତ ଜମି ହସ୍ତାନ୍ତର ପ୍ରକ୍ରିୟା ସଂପନ୍ନ କରିବା ଉପରେ ଆଲୋଚନା କରାଯାଇଥିଲା। ଏହିଅବସରରେ ଯୁଗ୍ମ ସଚିବ ଆର୍‌ଏସ୍‌ପି ବିସ୍ଥାପିତ ଗ୍ରାମବାସୀ ଓ ବିଭିନ୍ନ ବିସ୍ଥାପିତ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ୟା ଓ ଦାବି ବିଷୟରେ ପଚାରି ବୁଝିଥିଲେ। ଏହାସହ ମିଳିତ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉତ୍ତରାଞ୍ଚଳ ରାଜସ୍ବ କମିସନର ସଚିନ ରାମଚନ୍ଦ୍ର ଯାଦବ କହିଲେ, ଆର୍‌ଏସ୍‌ପିର ଉତ୍ପାଦନ କ୍ଷମତାକୁ ୯.୩ ମିଲିଅନ ଟନ୍‌କୁ ବୃଦ୍ଧି କରାଯିବ।
ଏହାଦ୍ବାରା ନୂଆ ନିଯୁକ୍ତି ସୁଯୋଗ ବଢିବାସହ ଉରକେଲା ସହରର ସାମଗ୍ରିକ ବିକାଶ ହେବ। ରାଉରକେଲା ସହିତ ରାଞ୍ଚି, କୋଲକତା ସହର ଓ କେନ୍ଦୁଝର ସଂଯୋଗ ରହିଛି। ବର୍ତମାନ ସହରର ବିକାଶ ନିତାନ୍ତ ଆବଶ୍ୟକ। ସଂପ୍ରସାରଣରେ ବିସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ ସହ ସେମାନଙ୍କ ବହୁବର୍ଷର ଦାବିକୁ ଆଇନ ଅନୁସାରେ ପୂରଣ କରାଯିବବୋଲି କହିଥିଲେ। ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଏସ୍‌ପି ନିତେଶ ଓ୍ବାଧଓ୍ବାନୀ, ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମା, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଆଇଏଏସ୍‌ ଶିକ୍ଷାନବୀସ ଫାବୀ ରସିଦ ପ୍ରମୁଖ ଉପସ୍ଥିତଥିଲେ।
Rourkela