ରାଉରକେଲା (ଦେବବ୍ରତ ଗଡ଼ତିଆ): ବେଦବ୍ୟାସ ଧାମ୍ କେବଳ ଏକ ମନ୍ଦିର ନୁହେଁ; ବରଂ ଏହା ହେଉଛି ପରମ୍ପରା, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏକ ସଙ୍ଗମ। ଏହା ଶତାବ୍ଦୀ ଧରି ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଆସୁଛି। ଏହି ମନ୍ଦିରର ନାମ ମହାକାବ୍ୟ ମହାଭାରତର ରଚୟିତା ମହର୍ଷି ବ୍ୟାସଦେବଙ୍କ ନାଁରେ ନାମିତ। ଏଠାରୁ ହିଁ ରାଜ୍ୟର ଦ୍ବିତୀୟ ବୃହତ୍ତମ ବ୍ରାହ୍ମଣୀ ନଦୀର ସୃଷ୍ଟି। ଶଙ୍ଖ ଓ କୋଏଲ ନଦୀରେ ଏଠାରେ ମିଶୁଥିବାରୁ ଏହା ‘ତ୍ରିବେଣୀ ସଙ୍ଗମ’ଭାବେ ପରିଚିତ।
ବେଦବ୍ୟାସ କେବଳ ଧାର୍ମିକ ଗୁରୁତ୍ୱର ସ୍ଥାନ ନୁହେଁ; ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପୃଷ୍ଠଭୂମି ବହନ କରେ। କିମ୍ବଦନ୍ତି କୁହେ, ଏଠାରେ ଥିବା ଗୁମ୍ଫାରେ ମହର୍ଷି ବ୍ୟାସ ପ୍ରାଚୀନ ଭାରତୀୟ ଶାସ୍ତ୍ର ବେଦକୁ ଚାରି ଭାଗରେ ବିଭକ୍ତ କରିଥିଲେ। ସେ ଏଠାରେ ହିଁ ମହାଭାରତ ରଚନା କରିଥିଲେ। ଖାସ୍ ଏଥିପାଇଁ ଏହି ସ୍ଥାନର ନାମ ବେଦବ୍ୟାସ ରଖାଯାଇଥିଲା। ଏହି ସ୍ଥାନ ବୈଦିକ ବିଦ୍ୱାନ ତଥା ଆଧ୍ୟାତ୍ମିକ ଶିକ୍ଷାର କେନ୍ଦ୍ରଭାବେ ବିବେଚିତ। ବର୍ଷସାରା ଏଠାରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ତଥା ଦର୍ଶନାର୍ଥୀଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥାଏ।
ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ବେଦବ୍ୟାସ ମନ୍ଦିର ରାଉରକେଲାର ପ୍ରବେଶ ପଥ ପାନପୋଷଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ। ଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା ତଥା ଶ୍ରାବଣରେ ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ। ବିଶେଷକରି ପବିତ୍ର ୪ଟି ସୋମବାରରେ ଏଠାରେ ଦେଢ଼ ଲକ୍ଷରୁ ଅଧିକ କାଉଡ଼ିଆଙ୍କ ସମାଗମ ଦେଖିବାକୁ ମିଳିଥାଏ। ଏହି ମନ୍ଦିର ପରିସରରେ ଶିବ ମନ୍ଦିର, ମା ସରସ୍ୱତୀଙ୍କ କୁଣ୍ଡ, ରାଧାକୃଷ୍ଣ ଏବଂ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପୂଜା କରାଯାଏ। ଏଠାରେ ଛୋଟବଡ଼ ମୋଟ୍ ୧୩ଟି ମନ୍ଦିର ରହିଛି।
ଇତିହାସ କୁହେ, ଗୁମ୍ଫା ଓ ନଦୀ ମଧ୍ୟରେ ଏକ ଭୂତଳ ସୁଡ଼ଙ୍ଗ ରହିଥିଲା, ଯେଉଁଠାରେ ମହର୍ଷି ବ୍ୟାସଦେବ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏଠାରେ ଥିବା ସଂକୀର୍ତ୍ତନ ମଣ୍ଡପରେ ଦୁଇ ଦଶନ୍ଧିରୁ ଅଧିକ ହେଲା ଦିନରାତି କୀର୍ତ୍ତନ କରାଯାଉଛି। ଏଠାକାର ଅନ୍ୟତମ ଆକର୍ଷଣ ହେଉଛି ବ୍ୟାସ ସରୋବର। ଖୋଦ୍ ମହର୍ଷି ଏହି ବ୍ୟାସ ସରୋବରକୁ ସୃଷ୍ଟି କରିଥିବା ବିଶ୍ବାସ ରହିଛି।
ବେଦବ୍ୟାସ ପୀଠରେ ପୂଜା ପାଉଛନ୍ତି ମହାଦେବ। ଏହାକୁ ମହାମୁନି ବ୍ୟାସଦେବଙ୍କ ଜନ୍ମ ସ୍ଥାନ ବୋଲି ମଧ୍ୟ କୁହାଯାଏ। ମହାଭାରତର ରଚନା ଏଇଠୁ ହିଁ ହୋଇଥିବା ଲୋକକଥା ରହିଛି। ବ୍ୟାସଦେବ ମହାଭାରତ କହୁଥିଲେ ଓ ଗଣେଶ ଲେଖୁଥିଲେ। କେବଳ ମହାଭାରତ ନୁହେଁ ହିନ୍ଦୁ ଧର୍ମର ମହାନ ଚାରିଟି ବେଦକୁ ରଚନା କରିଥିଲେ ବ୍ୟାସଦେବ। ସେହି ଅନୁସାରେ ଏହାର ନାମକରଣ ବେଦବ୍ୟାସ କରାଯାଇଛି। ବେଦବ୍ୟାସ ପୀଠରେ ନଦୀ, ଜଙ୍ଗଲ ଏବଂ ଦଶରାଜଗଡ ନାମକ ଏକ ଛୋଟ ଅଞ୍ଚଳ ଦ୍ୱାରା ଘେରି ରହିଥିଲା। ଏଠାରେ ଥିବା ପାହାଡ଼ର ନାମ ଥିଲା ‘ମହାବୀର ପାହାଡ଼’। ଲୋକକଥା ଅନୁସାରେ ମହର୍ଷି ପରାଶର ମୁନି ପାହଡ଼ରେ ରହି ଦେବଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ। ଲୋକକଥା ଏବଂ ଇତିହାସ ଅନୁଯାୟୀ ମହର୍ଷି ପରାଶର ଏହି ପାହାଡ଼ରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା ସହ ତପସ୍ୟା କରି ଫେରୁଥିବା ବେଳେ ନଦୀ ଘାଟରେ ରହି ନଦୀ ପାରି ହେବା ପାଇଁ ଧୀବର ରାଜାଙ୍କୁ ଡାକିଥିଲେ। କିନ୍ତୁ ସେ ଅସୁସ୍ଥ ଥିବାରୁ ତାଙ୍କର କନ୍ୟା ମତ୍ସ୍ୟଗନ୍ଧାଙ୍କୁ ପରାଶରଙ୍କୁ ନଦୀ ପାର କରିବା ପାଇଁ ପଠାଇଥିଲେ। ଏହାପରେ ନଦୀ ମହର୍ଷିଙ୍କୁ ଡଙ୍ଗାରେ ବସାଇ ମତ୍ସ୍ୟଗନ୍ଧା ନଦୀ ଆର ପାରିକୁ ନେଉଥିଲେ। ହଠାତ ଶୂନ୍ୟରୁ ଆକାଶବାଣୀ ହୋଇଥିଲା ଯେ, ଏହି ମତ୍ସ୍ୟଗନ୍ଧା ନାମକ କନ୍ୟା ଗର୍ଭରୁ ଯେଉଁ ପୁତ୍ର ଜାତ ହେବ ସେ ରଚିବ ମହାଭାରତ ବା ଅଷ୍ଟାଦଶ ପୁରାଣ।
Rourkela