ଭୁବନେଶ୍ୱର: ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଥିବା ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ| ଏମଭିଆଇ ଜଣକ ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବାବେଳେ ଖୋର୍ଦ୍ଧା ହସ୍ପିଟାଲ ନିକଟରୁ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ଏମଭିଆଇ ବିଜୟ କୁମାର ବେହୁରିଆ ନୂଆପଡ଼ାରୁ ଭୁବନେଶ୍ୱରକୁ ଓଡି ୩୩ ଏସି ୨୦୩୦ ନମ୍ବର କାରରେ ଆସୁଥିଲେ | ତାଙ୍କ ପାଖରେ ୧ ଲକ୍ଷ ୩୨ ହଜାର ଟଙ୍କା ଥିଲା |

Advertisment

ତେବେ ଏତେ ଟଙ୍କା ସିଏ କେଉଁଠାରୁ ପାଇଲେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ | ଆଶଙ୍କା କରାଯାଉଛି ଯେ ପିସି କାରବାରରୁ ଆଦାୟ ହେଉଥିବା ଟଙ୍କା ନେଇ ସେ ନୂଆପଡ଼ାରୁ ଭୁବନେଶ୍ୱରକୁ ଆସୁଥିଲେ | ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିବାବେଳେ ଟଙ୍କା ସହ ଗାଡି ଜବତ କରାଯାଇଛି | ଏହି କ୍ରମରେ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ଶ୍ରୀ ବେହୁରିଆଙ୍କ ୫ଟି ଠିକଣାରେ ଚଢ଼ାଉ ଜାରି ରହିଥିଲା|