ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୨୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଲେନରେ ଥିବା ନିଜ ବାସଭବନରେ ସଂଧ୍ୟାରେ ଅଭିଯୋଗକାରୀ ଗ୍ରାମସାଥୀ କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଉକ୍ତ ସମୟରେ ପୂର୍ବ ଯୋଜନା ମୁତାବକ ଜେଇଙ୍କୁ ଧରିବାକୁ ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀଙ୍କୁ ରେଡ ହ୍ୟାଣ୍ଡ ଧରି ଥିଲେ ଏବଂ ଅଭିଯୋଗକରି ହାତରେ ଦେଇଥିବା କେମିକାଲ ରଙ୍ଗ ମିଶା ଟଙ୍କାକୁ ଭିଜିଲାନ୍ସ ଟିମ୍ ଜବତ କରିଥିଲା । 

Advertisment

କାଶୀପୁର ବ୍ଲକ ମାଣ୍ଡିବିଶି ଗାଁ ନିକଟରେ ମନେରେଗା ଯୋଜନାର ଏକ ରାସ୍ତା କାମର ବିଲ ବାବଦକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ମାଗିବା ବିଷୟକୁ ନେଇ ଗ୍ରାମସାଥୀ କ୍ଷେତ୍ର ମାଝି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କୁ ରେଡ ହ୍ୟାଣ୍ଡ ଧରିବାକୁ ଯୋଜନା କରି ଦୁଇ ଦିନ ଧରି ରାୟଗଡା ଠାରେ ଛପିଥିଲେ। ଜୟପୁର ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଟିମ ଚଢ଼ଉରେ ସାମିଲ ହୋଇ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବାକୁ ଜଗିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଜିଲ୍ଳା ପରିଷଦ କାର୍ଯ୍ୟାଳୟ ଠାରେ ଉନ୍ନୟନ କାର୍ଯ୍ୟ ବୈଠକରେ ଯୋଗଦେଇ ସଂଧ୍ୟାରେ ବାସଗୃହକୁ ଫେରିବା ପରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିବା ‌ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ  ନିଜ ଦେହ ଅସୁସ୍ଥ ଥିବା ବାହାନା କରିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ଥିବା ଜଣାପଡିଛିI   କ୍ଷେତ୍ର ମାଝୀ ଉକ୍ତ ଟଙ୍କା ମୋ ଠାରୁ ଉଧାର ନେଇଥିଲା  ଆଜି ଫେରେଇବାକୁ ଆସିଥିଲା ବୋଲି କନିଷ୍ଠ ଯନ୍ତ୍ରୀ ଜଣକ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭିଜିଲାନ୍ସର  ଏକ ଟିମ କନିଷ୍ଠ ଯନ୍ତ୍ରୀ ଜଗିଥିବା ବେଳେ ଭିଜିଲାନ୍ସର ଆଉ ଗୋଟିଏ ଟିମ୍ ତାଙ୍କ ବାସଗୃହରେ ଜଗିବସିଛନ୍ତିI କନିଷ୍ଠ ଯନ୍ତ୍ରୀ  ସୁସ୍ଥ  ଅନୁଭବ କଲେ  ଚଢ଼ଉ ଜାରି  ରହିବ ବୋଲି  ଭିଜିଲାନ୍ସ ଅଧିକାରୀ ପ୍ରକାଶ କରିଛନ୍ତିI ଚଢ଼ଉ ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ, ସାବିତ୍ରୀ ପ୍ରଧାନ,  ସରିତା ତ୍ରିପାଠୀ ଓ ତରୁଲତା ବେହେରା ପ୍ରମୁଖ  ସାମିଲ ଥିଲେI