ପାରଳାଖେମୁଣ୍ଡି: ସରକାରୀ କର୍ମଚାରୀଙ୍କ ପଛରେ ଦୁର୍ନୀତିର ଦାଗ ହଟୁନାହିଁ। ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଭଲ ଦରମା ଦେଉଥିବା ବେଳେ ତଥାପି ଏମାନଙ୍କର ଲୋଭ କମ ନୁହେଁ। କୌଣସି କାମରେ ହାତ ମାରିଲେ ଲାଞ୍ଚ ମାଗିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଓ ଲାଞ୍ଚ କାରବାର ହେଉଛି। ଏହି କ୍ରମରେ ଆଜି ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ଦୁଇ ଜଣ କର୍ମଚାରୀଙ୍କୁ ଜାଲରେ ପକାଯାଇଛି। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କର୍ମଚାରୀମାନେ ହେଲେ ଜଗଦୀଶ ପଟ୍ଟନାୟକ ଓ ନିରଞ୍ଜନ ନାୟକ।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେମାନଙ୍କର ମନପସନ୍ଦ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ସିଡିଏମ୍ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ଟଙ୍କା ମାଗିଥିଲେ।
ଏନେଇ ନବନିଯୁକ୍ତ ସ୍ବାସ୍ଥ୍ୟକର୍ମୀମାନେ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ଏହା ପରେ ଚଢ଼ଉ ପାଇଁ ଯୋଜନା କରାଯାଇଥିଲା। ତେବେ ଉଭୟ ଜଗଦୀଶ ଓ ନିରଞ୍ଜନ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଏହି ସମୟରେ ସିଡିଏମ୍ଓ କାର୍ଯ୍ୟାଳୟର ପରିସରରୁ ୨୫ ହଜାର ରଂଗବୋଳା ଟଙ୍କା ଜବତ ହୋଇଥିଲା। ଏହା ପରେ ଟିମ୍ ଅନ୍ୟ ସ୍ଥାନରେ ସର୍ଚ୍ଚ ଆରମ୍ଭ କରିଦେଇଥିଲେ।
ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ଭଳି ପରିସ୍ଥିତି ହୋଇଛି। ଭିଜିଲାନ୍ସ ବିଭାଗର ଏହି ଚଢ଼ଉ ସମୟରେ କିରାଣିଙ୍କର ବ୍ୟକ୍ତିଗତ ଚାମ୍ବରରୁ ନଗଦ ପ୍ରାୟ ୫ ଲକ୍ଷ ଟଙ୍କା ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଜଗଦୀଶଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ୨ ଜଣ ଡିସଏସ୍ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।
ରିପୋର୍ଟ: ସୁଜିତ୍ ବିଷୋୟୀ
Odisha Vigilance